୨ରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି

ଗୁଆହାଟୀ: ଯେଉଁ ବ୍ୟକ୍ତିମାନଙ୍କର ଦୁଇରୁ ଅଧିକ ସନ୍ତାନ ଥିବା ସେମାନଙ୍କୁ ଆଉ ସରକାରୀ ଚାକିରି ମିଳିବ ନାହିଁ। ୨୦୨୧ରୁ ଆସାମ ସରକାର ଏଭଳି ନିୟମ ପ୍ରଣୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ସନ୍ଧ୍ୟାରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଅଧ୍ୟକ୍ଷତା ବସିଥିବା ରାଜ୍ୟ କ୍ୟାବିନେଟ୍‌ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।

ନିଷ୍ପତ୍ତି ଅନୁଯାୟୀ, ୨୦୨୧ ମସିହା ଜାନୁଆରୀ ୧ରୁ ଏହି ନିୟମ ଲାଗୁ ହେବ। ଯେଉଁ ବ୍ୟକ୍ତିଙ୍କର ୨ରୁ ଅଧିକ ସନ୍ତାନ ଥିବ ସେମାନଙ୍କୁ ସରକାରୀ ଚାକିରି ପାଇଁ ବିଚାରକୁ ନିଆଯିବ ନାହିଁ।

୨୦୧୭ ମସିହା ସେପ୍ଟେମ୍ବରରେ ଆସାମ ବିଧାନସଭାରେ ‘ଆସାମର ଜନସଂଖ୍ୟା ଓ ନାରୀ ସଶକ୍ତିକରଣ ପଲିସି ଅଫ ଆସାମ’ ପାରିତ ହୋଇଥିଲା। ଯେଉଁ ପ୍ରାର୍ଥୀମାନଙ୍କର ୨ଟି ସନ୍ତାନ ଥିବ ସେମାନେ ସରକାରୀ ଚାକିରି ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି ଏଥିରେ ନିୟମ ଥିଲା। ଏଥିସହ ବର୍ତ୍ତମାନ ସରକାରୀ ଚାକିରି କରୁଥିବା ବ୍ୟକ୍ତିମାନେ ମଧ୍ୟ ଦୁଇ ସନ୍ତାନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଏଥିରେ କୁହାଯାଇଥିଲା।

ଏହି ନିଷ୍ପତ୍ତି ବ୍ୟତୀତ ଆସାମ ସରକାର ଜମି ନଥିବା ଲୋକଙ୍କୁ ୩ ବିଘାସ ଚାଷ ଜମି ଯୋଗାଇଦେବ। ସେହିପରି ଘର ନଥିବା ଲୋକଙ୍କୁ ଗୃହ ନିର୍ମାଣ ପାଇଁ ହାଫ୍‌ ବିଘାସ ଜମି ମିଳିବ। ବିଘାସ ହେଉଛି ଆସମରେ ପ୍ରଚଳିତ ଜମି ମାପ ଫର୍ମୁଲା। ଭାରତର ଅନ୍ୟ ପ୍ରାନ୍ତରେ ବର୍ଗ ଫୁଟ ଓ ଏକର ଆଧାରରେ ଜମି ମାପଚୁପ ହେଉଥିବା ବେଳେ ଆସାମରେ ବିଘାସ ଅନୁଯାୟୀ ଜମି ମାପଚୁପ ହୋଇଥାଏ। ନୂଆ ଲ୍ୟାଣ୍ଡ ପଲିସି ବଳରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।