ଉଠି ଯାଇପାରେ ‘ପେ କମିଶନ୍‌’ ବ୍ୟବସ୍ଥା; ବିକଳ୍ପ ଖୋଜୁଛନ୍ତି ସରକାର

ନୂଆଦିଲ୍ଲୀ: ଭବିଷ୍ୟତରେ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଆଉ ‘ପେ କମିଶନ୍‌’ ବା ‘ବେତନ କମିଶନ’ର ସୁପାରିଶ ଅନୁଯାୟୀ ପାଇବେ ନାହିଁ ସଂଶୋଧିତ ଦରମା ଓ ଭତ୍ତା। ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଏହି ‘ପେ କମିଶନ୍‌’ ବ୍ୟବସ୍ଥାଟିକୁ ଉଠାଇ ଦେବାକୁ ଚାହୁଁଛନ୍ତି। ଯଦି ସରକାର ସତରେ ଏପରି କରନ୍ତି ତା’ହେଲେ ସପ୍ତମ ବେତନ କମିଶନ୍ ହୋଇଯିବ ଶେଷ ‘ପେ କମିଶନ’।

‘ପେ କମିଶନ୍‌’ ବ୍ୟବସ୍ଥାର ବିକଳ୍ପ ଖୋଜୁଛନ୍ତି କେନ୍ଦ୍ର ସରକାର। ବିକଳ୍ପ ମିଳିଲେ ସେହି ଅନୁସାରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଓ ଭତ୍ତା ବଢ଼ିବ। ଏ ସଂପର୍କରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ନିଷ୍ପତ୍ତି ନେବେ ବୋଲି ‘ଦ ସେନ୍ ଟାଇମ୍ସ’ରେ ଏକ ରିପୋର୍ଟ ପ୍ରକାଶ ପାଇଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ସୂଚନା ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି।

ଏହା ପୂର୍ବରୁ ସପ୍ତମ ବେତନ କମିଶନର ଅଧ୍ୟକ୍ଷ ଜଷ୍ଟିସ୍ ଏ.କେ ମାଥୁର ମଧ୍ୟ ତାଙ୍କ ମତାମତ ଦେଇ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦରମାରେ ପ୍ରତିବର୍ଷ ସଂଶୋଧନ କରାଯାଉ। ଉପଲବ୍ଧ ତଥ୍ୟ ଓ ପ୍ରାଇସ୍ ଇଣ୍ଡେକ୍ସ ଆଧାରରେ ପ୍ରତିବର୍ଷ ସେମାନଙ୍କ ଦରମା ସଂଶୋଧନ କରାଯାଉ ବୋଲି ସେ କହିଥିଲେ। ଏହା ଛଡ଼ା ସପ୍ତମ ବେତନ କମିଶନ ମଧ୍ୟ ମତାମତ ଦେଇ କହିଥିଲେ ଯେ କେନ୍ଦ୍ର କର୍ମଚାରୀଙ୍କ ଦରମା ଓ ଭତ୍ତାରେ ସଂଶୋଧନ ପାଇଁ ୧୦ ବର୍ଷ ଅପେକ୍ଷା କରିବା ବଦଳରେ ନିୟମିତ ବ୍ୟବଧାନରେ ଏଥିରେ ସଂଶୋଧନ କରାଯାଉ।