ଗଡ୍‌ସେ ହିଁ ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ, ଏହା ଉପରେ ଅଧିକ ତଦନ୍ତ ହେବନି  

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ନାଥୁରାମ ଗଡସେ ହିଁ ହତ୍ୟା କରିଥିଲେ। ଗଡ଼ସେଙ୍କ ବ୍ୟତୀତ ଅନ୍ୟ କେହି ରହସ୍ୟମୟ ବ୍ୟକ୍ତିଙ୍କ ଏହି ହତ୍ୟା କାଣ୍ଡରେ ସମ୍ପୃକ୍ତି ନ ଥିଲା ବୋଲି ଆମିକସ କ୍ୟୁରି ତଥା ପୂର୍ବତନ ସଲିସିଟର ଅମରେନ୍ଦ୍ର ଶରନ ନିଜ ରିପୋର୍ଟରେ ସୁପ୍ରିମକୋର୍ଟଙ୍କୁ ଦର୍ଶାଇଛନ୍ତି। ଏଣୁ ଏହି ମାମଲାର ଆଉ ଅଧିକ ତଦନ୍ତ ହେବନି ବୋଲି ଗୁରୁତ୍ୱପୂର୍ଣ୍ଣ  ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ।

ଶରନ ରିପୋର୍ଟରେ ଲେଖିଛନ୍ତି, ଗଡ଼ସେଙ୍କ ଗୁଳିରେ ହିଁ ଗାନ୍ଧିଙ୍କ  ମୃତ୍ୟୁ ହୋଇଥିଲା। ଏଣୁ ଏହି ଘଟଣାରେ ଅନ୍ୟ ଜଣେ ରହସ୍ୟମୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଯେଉଁ ଚର୍ଚ୍ଚା ହେଉଛି ସେଥିରେ କୌଣସି  ସତ୍ୟତା ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏଥିସହ ଚତୁର୍ଥ ଗୁଳି ପ୍ରସଙ୍ଗକୁ ମଧ୍ୟ ଖଣ୍ଡନ କରାଯାଇଛି। ଗାନ୍ଧିଙ୍କୁ  ୩ଟି ଗୁଳି ବାଜିଥିଲା ଓ ସେଥିରେ ହିଁ ତାଙ୍କ ପ୍ରାଣ ଯାଇଥିଲା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗାନ୍ଧିଙ୍କ ହତ୍ୟାକୁ ନେଇ  ଅଭିନବ ଭାରତ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସଞ୍ଚାଳକ ପଙ୍କଜ ଫଡଣିସ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ  ମାମଲା ଦାଏର କରିଥିଲେ। ତାଙ୍କ ଯୁକ୍ତି ଥିଲା ଗାନ୍ଧିଙ୍କୁ ୪ଟି ଗୁଳି ବାଜିଥିଲା। ୩ଟି ଗୁଳି ଗଡ଼ସେଙ୍କ ବନ୍ଧୁକରୁ ବାହାରି  ଥିବା ବେଳେ ଚତୁର୍ଥ ଗୁଳିଟି ସେଠାରେ ଉପସ୍ଥିତ ଥିବା ଜଣେ ରହସ୍ୟମୟ ବ୍ୟକ୍ତି ଚଳାଇଥିଲେ। ଏଣୁ ଗାନ୍ଧି ହତ୍ୟା  ମାମଲାର ତଦନ୍ତ ଉପରେ ପୁଣିଥରେ ବିଚାର କରିବାକୁ ସେ ଅନୁରୋଧ କରିଥିଲେ। ସୁପ୍ରିମକୋର୍ଟ  ଗତବର୍ଷ ଅକ୍ଟୋବର ୭ ତାରିଖରେ ଅମରେନ୍ଦ୍ର ଶରନଙ୍କୁ ଆମିକସ କ୍ୟୁରି ଭବେ ନିଯୁକ୍ତ କରି ଗାନ୍ଧି ହତ୍ୟା  ସଂପର୍କିତ ସମସ୍ତ ଦସ୍ତାବିଜକୁ ପୁଣିଥରେ ଯାଞ୍ଚ କରିଥିଲେ।