ମୁଁ ତଳେ ବସିବା ଲୋକ, ଖାସ୍ ବ୍ୟବସ୍ଥା କରନି; ପଢ଼ନ୍ତୁ ଯୋଗୀଙ୍କ ନୂଆ ନିର୍ଦ୍ଦେଶ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ନୂଆ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ସେ କୌଣସି ସ୍ଥାନକୁ ଗସ୍ତ କଲା ବେଳେ ବିଶେଷ ବ୍ୟବସ୍ଥା କରାଯିବ ନାହିଁ। ଏହି ନିର୍ଦ୍ଦେଶରେ ସେ କହିଛନ୍ତି,“ଆମେ ମାଟିରେ ବସିବା ଲୋକ। ତେଣୁ କୌଣସି ଖାସ୍ ବ୍ୟବସ୍ଥା ନ କରାଯାଉ। ମୁଖ୍ୟମନ୍ତ୍ରୀ ସେତେବେଳେ ସମ୍ମାନ ପାଇବାକୁ ଯୋଗ୍ୟ ଯେତେବେଳେ ରାଜ୍ୟର ଲୋକେ ନିଜ ସମ୍ମାନିତ ମନେ କରିବେ।”

ଗତ ମାସରେ ଯୋଗୀ ଆଦିତ୍ୟନାଥ ସହିଦ ବିଏସ୍‌ଏଫ୍ ଯବାନ ପ୍ରେମ ସାଗରଙ୍କ ଘର ଲୋକଙ୍କୁ ଭେଟିବାକୁ ବଲିୟା ଯାଇଥିଲେ। ସେଠାରେ ପ୍ରଶାସନ ପକ୍ଷରୁ ତାଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଥିଲା। ଯେପରିକି ଏସି, ସୋଫା, କର୍ପେଟ ଆଦିର ବ୍ୟବସ୍ଥା କରାଯାଇଥିଲା। ସେ ଚାଲିଯିବା ପରେ ପୁଣି ଉକ୍ତ ଜିନିଷଗୁଡ଼ିକୁ ସହିଦଙ୍କ ଘରୁ ହଟାଇ ଦିଆଯାଇଥିଲା। ଏହା ତାଙ୍କ ପରିବାର ଲୋକଙ୍କୁ ଅପମାନିତ କରିଥିଲା। ସହିଦ ଯବାନଙ୍କ ଭାଇ ଦୟାଶଙ୍କର ଏକଥା ପ୍ରକାଶ ମଧ୍ୟ କରିଥିଲେ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ କୁଶୀନଗର ଗସ୍ତ ବେଳେ ସେଠାକାର ଦଳିତ ଲୋକ ସାବୁନ ଓ ସାମ୍ପୁ ବଣ୍ଟା ଯାଇଥିଲା। ଗାଧୋଇ ପାଧୋଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଆସିବାକୁ ପ୍ରଶାସନ ପକ୍ଷରୁ ଏକ ପ୍ରକାର ଚେତାବନୀ ଦିଆଯାଇଥିଲା।

ଏହି ଦୁଇ ଘଟଣା ପାଇଁ ଯୋଗୀ ମଧ୍ୟ ବିଭିନ୍ନ ବର୍ଗରୁ ସମାଲୋଚିତ ହୋଇଥିଲେ। ସେଥିପାଇଁ ସେ ଏଭଳି ନିର୍ଦ୍ଦେଶ ଜାରି କରିଥିବା କୁହାଯାଉଛି।