ଘୁଞ୍ଚି ଘୁଞ୍ଚି ଯାଉଛି କର୍ଣ୍ଣାଟକା ବିଧାନସଭାରେ ଆସ୍ଥା ଭୋଟ

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଶୁକ୍ରବାର ବାଚସ୍ପତି କେଏମ ରମେଶ କୁମାର ସୋମବାର ବିଧାନସଭାରେ ଆସ୍ଥା ଭୋଟ ଯେମିତି ହେଲେ ବି ହେବ ବୋଲି ଦୃଢ଼ୋକ୍ତି କରିଥିଲେ। ହେଲେ କଂଗ୍ରେସ ଓ ଜେଡିଏସ୍ ମେଣ୍ଟ ଏହାକୁ ଘୁଞ୍ଚାଇବାରେ ଲାଗିଛନ୍ତି।

ସ୍ଥିତି ଏପରି ହୋଇଛି ଯେ ଆଜି ରାତି ତମାମ ଆସ୍ଥା ଭୋଟ ଉପରେ ବିତର୍କ କରିବାକୁ ବାଚସ୍ପତି ପ୍ରସ୍ତୁତ ଥିବା କହିଛନ୍ତି। ତେବେ ବାଚସ୍ପତି ରମେଶ କୁମାରଙ୍କ ଏହି ବୟାନ ସତ୍ତ୍ୱେ କଂଗ୍ରେସ ବିଧାୟକମାନେ ଆସନ୍ତାକାଲି ଆସ୍ଥା ଭୋଟ କରିବାକୁ ପ୍ରସ୍ତାବ ଦେଇଛନ୍ତି। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ରହିଛି। ତେଣୁ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଗୃହରେ ଆସ୍ଥା ଭୋଟ ହେବା ଦରକାର। କିନ୍ତୁ କଂଗ୍ରେସର ଏଭଳି ଦାବିକୁ ବିଜେପି ବିରୋଧ କରିଛି।

ବିଜେପି ନେତା ବିଏସ୍ ୟେଦ୍ଦୁରପ୍ପା କହିଛନ୍ତି, “ଆମେ ମଧ୍ୟରାତ୍ର ଯାଏ ଗୃହରେ ବସିବାକୁ ରାଜି ଅଛୁ। ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଓ କଂଗ୍ରେସ ବିଧାୟକ ସିଦ୍ଧରମୈୟା ଗୃହରେ ନିଜର ବୟାନ ରଖନ୍ତୁ। ଆମ ବିଧାୟକମାନେ କେବଳ ୫ ମିନିଟର ଭାଷଣ ଦେବେ। ଏହାପରେ ଆସ୍ଥା ଭୋଟ କରାଯାଉ।”

ଆଜି ସକାଳ ୧୧ଟାରୁ ବିଧାନସଭାରେ ଆସ୍ଥା ଭୋଟ ପାଇଁ ବିତର୍କ ଆରମ୍ଭ ହୋଇଥିଲା। ତେବେ ବିତର୍କ ବେଳେ କଂଗ୍ରେସ ଓ ଜେଡିଏସ୍ ବିଧାୟକମାନେ ଜାଣିଶୁଣି ଦୀର୍ଘ ସମୟ ଧରି ଭାଷଣ ଦେଇଥିଲେ। ଏଥିରେ ବିରକ୍ତି ପ୍ରକାଶ କରି ବାଚସ୍ପତି ରମେଶ କୁମାର ସମସ୍ତେ ୧୦ ମିନିଟ୍ ଲେଖାଏ ସମୟ ନିଅନ୍ତୁ ବୋଲି କହିଥିଲେ।

ହେଲେ ଏହାକୁ ସରକାରୀ ଦଳ ପକ୍ଷରୁ ନାପସନ୍ଦ କରାଯାଇଥିଲା। ହୋହଲ୍ଲା ତୀବ୍ର ହେବାରୁ ବାଚସ୍ପତି ଗୃହକୁ ୧୦ ମିନିଟ୍ ପାଇଁ ମୁଲତବୀ କରିଥିଲେ। ଏହି ସମୟରେ ବାଚସ୍ପତି ଉଭୟ ବିଜେପି ଓ କଂଗ୍ରେସ ନେତାମାନଙ୍କ ସହ ନିଜ ଚ୍ୟାମ୍ବରରେ ଆଲୋଚନା କରିଥିଲେ। କିନ୍ତୁ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ପୁଣିଥରେ ନାରାବାଜି ହୋଇଥିଲା। କଂଗ୍ରେସ ବିଧାୟକମାନେ ଆସ୍ଥା ଭୋଟ ଆଜି ନ କରିବାକୁ ଜିଦ୍ ଧରି ବସିଥିଲେ।

ଏଥିସହ ଗୃହରେ ୧୫ ବିଦ୍ରୋହୀ ବିଧାୟକ ଉପସ୍ଥିତ ନ ହେବା ଯାଏ, ଆସ୍ଥା ଭୋଟ ହୋଇପାରିବ ନାହିଁ ବୋଲି ଗୃହମନ୍ତ୍ରୀ ଏଚକେ ପାଟିଲ କହିଥିଲେ। ସେ କହିଥିଲେ, “ଆସ୍ଥା ଭୋଟ କିମ୍ବା କର୍ଣ୍ଣାଟକା ବିଧାନସଭା ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି। ଏଥିସହ ବିଦ୍ରୋହୀ ବିଧାୟକମାନଙ୍କୁ ଗୃହକୁ ଆସିବାକୁ ଆମେ ହ୍ୱିପ୍ ଜାରି କରିବୁ। ଏସବୁ ବିଷୟରେ ପ୍ରଥମେ ଆଲୋଚନା କରାଯିବା ଦରକାର।”

ଅନ୍ୟପକ୍ଷରେ ବିଦ୍ରୋହ ଘୋଷଣା କରିଥିବା ବିଧାୟକ ସୁଧାକର ଓ ଆଉ ଜଣେ ବିଧାୟକ କଂଗ୍ରେସ ଓ ଜେଡିଏସ୍ ମେଣ୍ଟକୁ ସମର୍ଥକ କରିବେ ବୋଲି କୁହାଯାଉଛି। ଏସବୁ ଦେଖି ବିଜେପି ଆଜି ହିଁ ଆସ୍ଥା ଭୋଟ କରିବାକୁ ଜିଦ୍ ଧରି ବସିଛି।

ବାଚସ୍ପତି ରମେଶ କୁମାର କହିଛନ୍ତି, “ମୁଁ ସକାଳ ପର୍ଯ୍ୟନ୍ତ ଏଠାରେ ବସିବାକୁ ରାଜି ଅଛି। କଂଗ୍ରେସ ଓ ଜେଡିଏସ୍‌ ବିଧାୟକମାନେ ଯଦି ବିଜେପି ବିଧାୟକମାନେ କହିବା ବେଳେ ବାରମ୍ବାର ନାରାବାଜି କରନ୍ତି, ତା’ହେଲେ ମୁଁ ଏକ ଶକ୍ତ ନିଷ୍ପତ୍ତି ନେବି। ଦୟାକରି ମୋତେ ଉଭୟ ବିଜେପି ଓ ସରକାରୀ ଦଳର ନେତାମାନେ ବଳିର ବୋଧା କରନ୍ତୁ ନାହିଁ। ଆପଣମାନେ ହୋ-ହଲ୍ଲା କଲେ ମୁଁ ଗୃହକୁ ମୁଲତବୀ କରିବି ନାହିଁ। ବରଂ ଏମିତି ବସି ରହିବି।”

କଂଗ୍ରେସ ଓ ଜେଡିଏସ ମେଣ୍ଟର ୧୫ ଜଣ ବିଧାୟକଙ୍କ ଇସ୍ତଫା ଓ ୨ ଜଣ ସ୍ୱାଧୀନ ବିଧାୟକ ସରକାରଠାରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ମେଣ୍ଟ ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହରାଇଛି। କିନ୍ତୁ ଉଭୟ କଂଗ୍ରେସ ଓ ଜେଡିଏସ ଯେ କୌଣସି ଉପାୟରେ କ୍ଷମତାକୁ ଜାବୁଡ଼ି ଧରି ରଖିବାକୁ ଚାହୁଁଥିବାରୁ ଏଭଳି ସଙ୍କଟ ସୃଷ୍ଟି ହୋଇଛି।