ଏଣିକି ଆଣବିକ ପରୀକ୍ଷଣ କରିବନି ଉତ୍ତର କୋରିଆ

ନୂଆଦିଲ୍ଲୀ: ଆଉ କୌଣସି ଆଣବିକ ପରୀକ୍ଷା କିମ୍ବା ଅନ୍ତର୍ମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା ନ କରିବାକୁ ଉତ୍ତର କୋରିଆ ଘୋଷଣା କରିଛି ।  ଏହା ସହିତ ଆଣବିକ ପରୀକ୍ଷଣର ଏକ ସ୍ଥାନକୁ ମଧ୍ୟ ବନ୍ଦ କରାଯିବ।  ଯେଉଁ ଅସ୍ତ୍ର ଦରକାର ଥିଲା,ତାହା ନିର୍ମିତ ହୋଇସାରିଛି। ତେଣୁ ଆଉ ଆଣବିକ ପରୀକ୍ଷା କିମ୍ବା କ୍ଷେପଣାସ୍ତ୍ର ପରୀକ୍ଷଣର ଆବଶୟକତା ନାହିଁ। ଆଣବିକ ପରୀକ୍ଷାସ୍ଥଳକୁ ମଧ୍ୟ ଭାଙ୍ଗିବାକୁ କିମ୍ ଜଙ୍ଗ ଉନ୍ ନିଷ୍ପତ୍ତି ନେଇଥିବା ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି।

ଆସନ୍ତା ସପ୍ତାହରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତର କୋରିଆର ଶାସକ କିମ୍-ଜଙ୍ଗ-ଉନ୍ ମଧ୍ୟରେ ହୋବାକୁ ଥିବା ସାକ୍ଷାତ ପୂର୍ବରୁ ଏହି ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ହ୍ରାସ କରିବ ବୋଲି ଆଶା କରାଯାଉଛି। ଆମେରିକାର ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ ଉତ୍ତର କୋରିଆର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି, ତା ସହିତ ଅନ୍ତର୍ଜାତୀୟ ସମୁଦାୟ ମଧ୍ୟ ଏକ ପ୍ରକାର ଆଶ୍ୱସ୍ତ ହୋଇଛି।  ଗତ ବର୍ଷ ଉତ୍ତର କୋରିଆ ପକ୍ଷରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିଲା, ଯାହାକି ଆମେରିକାକୁ ମଧ୍ୟ ଟାର୍ଗେଟ କରିପାରିବ। ଏହା ପରେ ଉଭୟ ପକ୍ଷ ପରସ୍ପରକୁ ଯୁଦ୍ଧର ଧମକ ଦେଇଥିଲେ।  ଏପରିକି ଆଣବିକ ଯୁଦ୍ଧ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା।  କିଛି ଦିନ ତଳେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍-ଜଙ୍ଗ୍-ଉନ୍ ନରମ ମନୋଭାବ ପୋଷଣ କରିଥିଲେ ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଆଲୋଚନା କରିବାକୁ ରାଜି ହୋଇଥିଲେ।