ଏହି ଜିଲ୍ଲାରେ ତିନି ମାସ ହେଲା ଜଣେ ବି ଶିଶୁକନ୍ୟା ଜନ୍ମ ନେଇ ନାହିଁ

ଉତ୍ତରକାଶୀ: କେନ୍ଦ୍ର ସରକାର ଲିଙ୍ଗଗତ ସମାନୁପାତ ରଖିବା ପାଇଁ ଆରମ୍ଭ କରିଛନ୍ତି ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନ। ଅନ୍ୟପଟେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ୩ ମାସ ହେବ କୌଣସି ଝିଅ ଜନ୍ମଲାଭ କରୁନଥିବା ଖବର ସାମ୍ନାକୁ ଆସିଛି।

ଅନ୍ତିମ ୩ ମାସର ରିପୋର୍ଟ ଅନୁଯାୟୀ ପାଖାପାଖି ୧୩୨ଟି ଗାଁରେ ୨୧୬ ଜଣ ଶିଶୁ ଜନ୍ମଲାଭ କରିଛନ୍ତି। ହେଲେ ଏହି ସମସ୍ତ ଶିଶୁ ହେଉଛନ୍ତି ପୁଅ। ଉତ୍ତରକାଶୀର ଜିଲ୍ଲାପାଳ ଆଶିଷ ଚୌହ୍ୱାନ ପ୍ରତିକ୍ରିୟାରେ କହିଛନ୍ତି, ଏହାର ଅନୁସନ୍ଧାନ ପାଇଁ ଏକ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ଯେଉଁ ଅଞ୍ଚଳରେ ୩ ମାସ ହେବ ଝିଅ ଜନ୍ମ ଲାଭ କରି ନାହାନ୍ତି ସେହି ସବୁ ସ୍ଥାନକୁ ଚିହ୍ନଟ କରିଛି। ଏକ ସର୍ଭେ କରିବା ପରେ ଝିଅ ଜନ୍ମ ନହେବା ପଛର କାରଣ କଣ, ତା’ର ଅନୁସନ୍ଧାନ କରାଯିବ ବୋଲି ସେ କହିଛନ୍ତି।

 

ଏଥିସହ ଜିଲ୍ଲାପାଳ ସ୍ଥାନୀୟ ଆଶାକର୍ମୀଙ୍କୁ ନେଇ ଏକ ଜରୁରୀ ବୈଠକ କରି ପ୍ରସ୍ତୁତ ହୋଇଥିବା ରିପୋର୍ଟ ବାବଦରେ ଅଧିକ ତଥ୍ୟ ଦେବାକୁ କହିଛନ୍ତି। ତେବେ ଜିଲ୍ଲାରେ ଝିଅ ଜନ୍ମ ଶୂନ ହେବା ପରେ ସାମାଜିକ କର୍ମୀ କଳ୍ପନା ଠାକୁର ଭ୍ରୂଣ ହତ୍ୟା କରାଯାଉଥିବା ଅଭିଯୋଗ କରିଛନ୍ତି।