କଂଗ୍ରେସକୁ ସୁପ୍ରିମକୋର୍ଟ ଝଟ୍‌କା: ଗୁଜରାଟ ରାଜ୍ୟସଭା ନିର୍ବାଚନରେ ନୋଟା ଅପ୍‌ସନ୍‌ ରହିବ 

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ରାଜ୍ୟସଭା ପାଇଁ ଗୁଜରାଟରୁ ଖାଲି ହେଉଥିବା ୩ଟି ଆସନ ଲାଗି ନିର୍ବାଚନରେ ନୋଟା ଅପ୍ସନକୁ  ବ୍ୟବହାର ହୋଇପାରିବ। ଏହି ଅପ୍ସନକୁ ହଟେଇବା ପାଇଁ କଂଗ୍ରେସ ପକ୍ଷରୁ ଆବେଦନ କରାଯାଇଥିଲେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଖାରଜ କରିଦେଇଛନ୍ତି।  କୋର୍ଟ କହିଛନ୍ତି ଯେ, ନୋଟା ଅପ୍ସନ ହେଉଛି ଏକ ସାମ୍ବିଧାନିକ ପ୍ରସଙ୍ଗ। ଯାହା ଉପରେ ଅଧିକ ବିତର୍କ ହେବାର ଆବଶ୍ୟକ ରହିଛି।

ଏହାକୁ ନେଇ ଜବାବ ଦାଖଲ କରିବାକୁ କୋର୍ଟ ନିର୍ବାଚନ କମିଶନଙ୍କୁ ଦୁଇ ସପ୍ତାହ ସମୟ ଦେଇଛନ୍ତି। ଏହି ଅପ୍ସନକୁ ଉଚ୍ଛେଦ ପାଇଁ କଂଗ୍ରେସ ଅବେଦନ କରିଥିଲା। କଂଗ୍ରେସର କହିବା ଅନୁଯାୟୀ ଯଦି ଏହି ନୋଟା ଅପ୍ସକୁ ଅନୁମତି ଦିଆଯାଉଛି ତେବେ ତାଙ୍କ ଦଳର ବିଧାୟକମାନଙ୍କୁ ଅନ୍ୟ ଦଳମାନେ କିଣିନେବେ। ଫଳରେ ତାଙ୍କ ଦଳର ପ୍ରାର୍ଥୀମାନେ ପରାଜିତ ହେବେ। ଏହା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ। ଏହି ନୋଟା ଅପ୍ସନ ଘୋଡ଼ା ବେପାରର କାରଣ ବୋଲି କଂଗ୍ରେସ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା। ହେଲେ କୋର୍ଟ ଏହି ଆବେଦନକୁ ଖାରଜ କରି କହିଥିଲେ ଯେ, ୨୦୧୪ରୁ ରାଜ୍ୟସଭା ନିର୍ବାଚନରେ ନୋଟା ଅପ୍ସନକୁ  ନିର୍ବାଚନ କମିଶନ ବ୍ୟବହାର କରି ଆସୁଛନ୍ତି।

ଏଣୁ ଏହାକୁ ଏବେ ଉଚ୍ଛେଦ କରିହେବ ନାହିଁ।  ସେପଟେ ଏହି ଅପ୍ସନକୁ ବିଜେପି ପକ୍ଷରୁ ସମର୍ଥନ କରାଯାଇଥିବା ବେଳେ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। କଂଗ୍ରେସ ପକ୍ଷରୁ ବରିଷ୍ଠ ଓକିଲ କପିଲ ଶିବଲ ମାମଲା ପରିଚାଳନା କରୁଛନ୍ତି।  ଏହି ନୋଟା ହେଉଛି ନନ୍‌ ଅଫ୍‌ ଦି ଏଭବ୍‌। ଅର୍ଥାତ ଯଦି କୌଣସି ପ୍ରାର୍ଥୀ ଯୋଗ୍ୟ ନୁହନ୍ତି ବୋଲି କେହି ଭୋଟର ବିଚାର କରନ୍ତି ସେମାନେ ନୋଟାରେ ଭୋଟ୍‌ ଦେଇପାରିବେ। ଆସନ୍ତା ଅଗଷ୍ଟ ୧୦ରେ  ରାଜ୍ୟସଭା ଲାଗି ଗୁଜରାଟର ୩ଟି ଆସନ ପାଇଁ ନିର୍ବାଚନ ହେବ।