ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସିଲା ବିଜ୍ଞପ୍ତି, ୧୭ରେ ଭୋଟ,୨୦ରେ ଗଣତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ସଂପର୍କୀତ  ନିୟମାବଳୀ ନିର୍ବାଚନ କମିଶନଙ୍କ ନିକଟରୁ, ଓଡ଼ିଶା ବିଧାନସଭା ସଚିବଙ୍କ ନିକଟକୁ ଆସିଛି। ୧୯୫୨ର ଧାରା ୪ର ଉପଧାରା ୧ ଅନୁସାରେ ରାଷ୍ଟ୍ରପତି ଓ ଉପ-ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କିତ ଅଧିସୂଚନା ପ୍ରକାଶ ପାଇଛି। ଆସନ୍ତା ୨୮ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଜୁନ୍ ୨୯ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ଜୁଲାଇ ୧ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର ହେବ। ଏକାଧିକ ପ୍ରାର୍ଥୀ ରହିଲେ ଜୁଲାଇ ୧୭ରେ ମତଦାନ ହେବ ବୋଲି ସୂଚନା ପ୍ରଦାନ କରିଥିଲେ ନିର୍ବାଚନ କମିଶନ।

ସିକ୍ରେଟ ବାଲାଟ୍ ଜରିଆରେ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଜୁଲାଇ ୨୦ରେ ଭୋଟ ଗଣତି ହେବ। ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୪ରେ ଶେଷ ହେଉଛି। ବର୍ତ୍ତମାନ ଯାଏଁ ଏନଡିଏ କିମ୍ବା ୟୁପିଏ ସେମାନଙ୍କ ପ୍ରାର୍ଥୀ ନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାନ୍ତି।  ରାଷ୍ଟ୍ରପତି ନିର୍ବାଚନକୁ ନେଇ ସମସ୍ତ ଦଳରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି।