ଏନ୍‌ଆରସି: କଂଗ୍ରେସକୁ ଶ୍ରେୟ ଯାଚିଲେ ମୋଦି

ନୂଆଦିଲ୍ଲୀ: ଆଜି ଆଉ ୧.୦୨ ଲକ୍ଷ ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସରୁ ବାଦ୍ ପଡ଼ିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆସାମରେ ବର୍ତ୍ତମାନ ଯେଉଁ ପଦକ୍ଷେପ ନିଆଯାଉଛି ଏଥିପାଇଁ କଂଗ୍ରେସ ସରକାର ଶ୍ରେୟ ନେବା ଦରକାର। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ସରକାର ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ବୋଲି ମୋଦି କହିଛନ୍ତି।

ସେ ତାଚ୍ଛଲ୍ୟ କରି କହିଛନ୍ତି, ଗୋଟିଏ ପଟେ ଆପଣ ଦାବି କରୁଛନ୍ତି, ଆମକୁ ଶ୍ରେୟ ମିଳୁନି। ଅନ୍ୟ ପଟେ ଏନ୍ଆରସି ପାଇଁ ଶ୍ରୟ ନେବାରେ କ’ଣ ସମସ୍ୟା ହେଉଛି। ରାଷ୍ଟ୍ରପତି ସଂସଦର ମିଳିତ ଅଧିବେଶନକୁ ଦେଇଥିବା ଅଭିଭାଷଣ ପରେ ମୋସନ୍ ଅଫ୍ ଥାଙ୍କସ୍ ବିତର୍କର ଉତ୍ତରରେ ମୋଦି ଏହି ମନ୍ତବ୍ୟ ଦେଇଛନ୍ତି।

ମୋଦି କହିଛନ୍ତି, ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସ୍ୱାକ୍ଷରିତ ଆସାମ ଆକର୍ଡରେ ଏହି ଏନ୍ଆରସି ବାବଦରେ ଉଲ୍ଲେଖ କରାଯାଇଥିଲା। ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇ ରାଜ୍ୟରେ ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସରକାର କେବଳ ତା’କୁ ପାଳନ କରୁଛନ୍ତି ବୋଲି ମୋଦି କହିଛନ୍ତି।

ଏହି ପ୍ରସଙ୍ଗକୁ ଭୋଟ୍‌ ବ୍ୟାଙ୍କ ଭାବେ ବ୍ୟବହାର ନକରି ଦେଶର ଏକତା, ଅଖଣ୍ଡତା ଏବଂ ଉଜ୍ଜଳ ଭବିଷ୍ୟତ ପାଇଁ ଏହା ଜରୁରୀ। ଆସାମରୁ କଂଗ୍ରେସର ସାଂସଦ ରିପୁନ୍‌ ବୋରା କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣର ରହିଥିବା ଭୁଲ ସୂଚନା ବାବଦରେ ଲିଖିତ ଆକାରରେ ଜଣାଇବେ।