ଜମ୍ମୁ-କଶ୍ମୀର ଉପରେ ଏନ୍‌ଏସ୍‌ଏ ଡୋଭାଲଙ୍କ ଛଞ୍ଚାଣ ଆଖି

ନୂଆଦିଲ୍ଲୀ: ଆଜି ଜମ୍ମୁ-କଶ୍ମୀରରେ ବକ୍ରି ଇଦ୍‌ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କୋହଳ କରାଯାଇଛି। ଲୋକମାନେ ଏହି ଅବସରରେ ସମୂହ ନମାଜ ପାଠ କରିବା ସହ ପରସ୍ପରକୁ ଇଦ୍‌ ଶୁଭେଚ୍ଛା ଜଣାଇଛନ୍ତି।

ସୁରକ୍ଷା ବ୍ୟବସ୍ଥା କୋହଳ ହୋଇଥିଲେ ହେଁ ପୂରା ଜମ୍ମୁ-କଶ୍ମୀର ଉପରେ ସୁରକ୍ଷାକର୍ମୀଙ୍କ ଛଞ୍ଚାଣ ଆଖି ରହିଛି। ଏହିକ୍ରମରେ ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆକାଶ ମାର୍ଗରୁ ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ଇଦ୍‌ ପାଳନ ବେଳେ ଦକ୍ଷିଣ କଶ୍ମୀରରେ ହିଂସା ସୃଷ୍ଟି ହେବାର ଆଶଙ୍କା ଥିବାରୁ ଡୋଭାଲ ଉକ୍ତ ଅଞ୍ଚଳରେ ଢେର ସମୟ ଆକାଶ ମାର୍ଗରୁ ସ୍ଥିତି ସମୀକ୍ଷା କରିଥିଲେ।

ଏହାପରେ ଡୋଭାଲ ଦକ୍ଷିଣ କଶ୍ମୀରର ବିଭିନ୍ନ ଗଳିକନ୍ଦିରେ ବୁଲି ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସେ ସମସ୍ତଙ୍କୁ ଇଦ୍‌ ଶୁଭେଚ୍ଛା ଜଣାଇଥିଲେ। ଜମ୍ମୁ-କଶ୍ମୀର ପୁଲିସ୍‌ ମୁଖ୍ୟ ଦିଲବାଗ ସିଂହ ଓ ଆର୍ମି କମାଣ୍ଡରମାନେ ମଧ୍ୟ ଆକାଶ ମାର୍ଗରୁ ଜମ୍ମୁ-କଶ୍ମୀର ଉପରେ କଡ଼ା ନଜର ରଖିଥିଲେ।

ସମୀକ୍ଷା ବେଳେ କୌଣସି ସ୍ଥାନରେ ହିଂସାକାଣ୍ଡ କିମ୍ବା ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇ ନଥିବା ଜଣାପଡ଼ିଛି। ଇଦ୍‌ ପ୍ରାର୍ଥନା ଜମ୍ମୁ-କଶ୍ମୀରରେ ବେଶ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଶ୍ରୀନଗରକୁ ଛାଡ଼ି ଦେଲେ ବାକି ସବୁ ସ୍ଥାନରେ ଥିବା ମସଜିଦ୍‌ରେ ଲୋକମାନେ ସମୂହ ନମାଜ ପାଠ କରିଛନ୍ତି।

ଶ୍ରୀନଗରରେ ଥିବା ସବୁଠାରୁ ବଡ଼ ମସଜିଦ୍‌ରେ ଇଦ୍‌ ପ୍ରାର୍ଥନା ପାଇଁ କାହାକୁ ଅନୁମତି ଦିଆଯାଇ ନଥିଲା। ଏଠାରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି କିମ୍ବା ଆତଙ୍କବାଦୀ ଆକ୍ରମଣ ଭୟ ଥିବାରୁ ଏଠାରେ ଆଜି ମଧ୍ୟ କଟକଣା ବଳବତ୍ତର ରହିଥିଲା।