ଜମ୍ମୁ କାଶ୍ମୀରରେ ହୋଇପାରେ ବଡ଼ ଧରଣର ଅପରେସନ୍‌: NSG କମାଣ୍ଡୋକୁ ମୁତୟନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଆତଙ୍କବାଦରୁ ମୁକ୍ତ ହେବ ଜମ୍ମୁ କାଶ୍ମୀର। ଜମ୍ମୁ କାଶ୍ମୀରରେ ଆତଙ୍କବାଦର ମୁକାବିଲା କରିବାକୁ ନିୟୋଜିତ ହେଲେ ନ୍ୟାସନାଲ ସିକ୍ୟୁରିଟୀ ଗାର୍ଡ ବା ଏନ୍ଏସ୍‌ଜି କମାଣ୍ଡ। କୌଣସି ରାଜ୍ୟରେ ଏନ୍ଏସ୍‌ଜି ଗାର୍ଡ ମୁତୟନ କରିବା ଏହା ଦେଶରେ ପ୍ରଥମ ଘଟଣା। ଶ୍ରୀନଗର ହୁମହାହା ବିଏସ୍ଏଫ୍ ପୋଷ୍ଟରେ ଏନ୍ଏସ୍‌ଜି ଗାର୍ଡଙ୍କୁ ମୁତୟନ କରାଯାଇଛି। ଶହେ ଜଣ କମାଣ୍ଡୋଙ୍କୁ ବିଏସ୍ଏଫ ପୋଷ୍ଟରେ ମୁତୟନ କରାଯାଇଛି।

ଖୁବଶୀଘ୍ର ସୁରକ୍ଷାକର୍ମୀଙ୍କ ସହ ସର୍ଚ୍ଚ ଅପରେସନରେ ମୁତୟନ ହେବେ ଏନ୍ଏସ୍‌ଜି ବାହିନୀ। ଏନ୍ଏସ୍‌ଜି ଗାର୍ଡଙ୍କ ସହାୟତାରେ ଜମ୍ମୁ କାଶ୍ମୀରରେ ସତର୍କତାର ସହ ଆତଙ୍କବାଦୀଙ୍କୁ ନିପାତ କରାଯାଇ ପାରିବ। ବର୍ତ୍ତମାନ ଜମ୍ମୁ କାଶ୍ମୀରରେ ରାଜ୍ୟପାଳ ଶାସନ ଚାଲୁଥିବା ବେଳେ ଆତଙ୍କବାଦୀଙ୍କ ଉପରେ ଏନ୍ଏସ୍‌ଜି କମାଣ୍ଡଙ୍କ ସହାୟତାରେ ସେନା ଉପଯୁକ୍ତ ପଦକ୍ଷପ ନେଇପାରିବ ବୋଲି ଚର୍ଚ୍ଚା ହେଉଛି। ସେପଟେ ଆତଙ୍କବାଦୀଙ୍କୁ ଦେଖିଲେ ସଙ୍ଗେସଙ୍ଗେ ଗୁଳି କରିବାକୁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି।