ନୂତନ ଶସ୍ୟ ବୀମା ଯୋଜନାକୁ କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ: ନୂତନ ଶସ୍ୟ ବୀମା ଯୋଜନାକୁ ବୁଧବାର କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ଚାଷୀଙ୍କ ଉପରେ ବୀମାର ପ୍ରିମିୟମ ରାଶିର ବୋଝ ହାଲୁକା ହେବା ସହ ସମ୍ପୂର୍ଣ୍ଣ  ବୀମା ରାଶିର ଶୀଘ୍ର ସେଟଲମେଣ୍ଟ ହୋଇପାରିବ। ନୂତନ ଯୋଜନା ଅନୁଯାୟୀ, ଖାଦ୍ୟ ଶସ୍ୟ ଓ ତୈଳବୀଜ କ୍ଷେତ୍ରରେ ପ୍ରିମିୟମ ବୀମାଭୁକ୍ତ ରାଶିର ୨ ପ୍ରତିଶତ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ସେହିପରି ଉଦ୍ୟାନ ଓ କପା ଚାଷୀଙ୍କ ପାଇଁ ପ୍ରିମିୟମ ୫ ପ୍ରତିଶତ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି। ବର୍ତ୍ତମାନ ବୀମାଭୁକ୍ତ ରାଶିର ୨୫ ପ୍ରତିଶତ ପର୍ଯ୍ୟନ୍ତ  ପ୍ରିମିୟମ ଚାର୍ଜ କରାଯାଉଛି। ଏହା ଛଡା ପ୍ରିମିୟମ ରାଶି ଓ ବୀମାକୃତ ରାଶି ହ୍ରାସ ଉପରେ ସୀମା ନ ରଖିବା ପାଇଁ ମଧ୍ୟ ନୂତନ ଯୋଜନାରେ ପ୍ରସ୍ତାବ ରଖାଯାଇଛି। ସେହିପରି କ୍ଲେମ କରୁଥିବା ରାଶିର ୨୫ ପ୍ରତିଶତ ସିଧା ଚଷୀଙ୍କ ଏକାଉଣ୍ଟକୁ  ଯିବାର ବ୍ୟବସ୍ଥା ଏଥିରେ ରହିଛି। ପ୍ରାଇଭେଟ ଇନସୁରାନ୍ସ କମ୍ପାନୀ ସହ ଏଗ୍ରିକଲଚର ଇନସୁରାନ୍ସ କମ୍ପାନୀ ଅଫ ଇଣ୍ଡିଆ ଲିମିଟେଡ ଏହି ଯୋଜନା କାର୍ଯ୍ୟକାରୀ କରିବେ। ଆସନ୍ତା ଖରିଫ ୠତୁରୁ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ରଖାଯାଇଛି। ନୂତନ ଯୋଜନାରେ ଆଗାମୀ ୨ରୁ ୩ ବର୍ଷ ଭିତରେ ପ୍ରାୟ ୫୦ ପ୍ରତିଶତ ଚାଷୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।