ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପ୍ରତିଶ୍ରୁତି ମନେ ପକାଇ ଦେବାକୁ ରାଉରକେଲାରୁ ଦିଲ୍ଲୀକୁ ଯୁବକଙ୍କ ପଦଯାତ୍ରା

ନୂଆଦିଲ୍ଲୀ: ‘ମାଁଝି ଦ ମାଉଣ୍ଟେନ୍‌ ମ୍ୟାନ୍‌’ ଚଳଚ୍ଚିତ୍ର ଆପଣ ନିଶ୍ଚୟ ଦେଖିଥିବେ। ସେଥିରେ ଦଶରଥ ମାଁଝି ନିଜ ଗାଁରେ ପାହାଡ଼ କାଟି ରାସ୍ତା ତିଆରି କରିବା ପାଇଁ ସରକାରୀ ସହାୟତା ପାଇ ନ ଥିଲେ। ଏଥିପାଇଁ ସେ ହାତରେ ତ୍ରିରଙ୍ଗା ପତାକା ଧରି ପାଦରେ ଚାଲି ଚାଲି ଦିଲ୍ଲୀ ଆସିଥିଲେ। ପରେ ସରକାର ତାଙ୍କର ଏହି ସାହାସିକତା ପାଇଁ ରାସ୍ତା କରିବାରେ ତାଙ୍କୁ ସାହାଯ୍ୟ କରିଥିଲେ।

ଏହିପରି ଆଉ ଜଣେ ଦଶରଥଙ୍କର ସାହାସିକତାର ଉଦାହରଣ ଦେଖିବାକୁ ମିଳିଛି। ତେବେ ସେ ରାସ୍ତା ପାଇଁ ନୁହେଁ, ନିଜ ସହରରେ ଥିବା ଡାକ୍ତରଖାନାରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ପାଇଁ ଏପରି ସାହାସିକତା ଦେଖାଇଛନ୍ତି। ଯୁବକ ଜଣକ ହେଉଛନ୍ତି ରାଉରକେଲାର ମୁକ୍ତିକାନ୍ତ। ସେ ପେସାରେ ଜଣେ ମୂର୍ତ୍ତି କାରିଗର। ହାତରେ ତ୍ରିରଙ୍ଗା ପତାକା ଧରି ସେ ରାଉରକେଲାରୁ ଦିଲ୍ଲୀ ଚାଲି ଚାଲି ଯାତ୍ରା କରୁଛନ୍ତି। ସେ ଏବେ ଆଗ୍ରାରେ ପହଞ୍ଚିଛନ୍ତି।
୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ପରିଦର୍ଶନରେ ଆସି ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲକୁ ନବୀକରଣ କରି ଏହାକୁ ସୁପର ସ୍ପେସାଲିଟି ହସ୍ପିଟାଲରେ ପରିଣତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ୪ବର୍ଷ ପରେ ମଧ୍ୟ ପ୍ରଧାନମନ୍ତ୍ରୀ ନିଜର  ପ୍ରତିଶ୍ରୁତି ରଖିନାହାନ୍ତି। ବ୍ରାହ୍ମଣୀ ବ୍ରିଜ୍‌ର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ହସ୍ପିଟାଲକୁ ନବୀକରଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ମାତ୍ର ବ୍ରାହ୍ମଣୀ ବ୍ରିଜ୍‌ର ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ହୋଇ ପାରିନାହିଁ।
ପ୍ରଧାନମନ୍ତ୍ରୀଙ୍କୁ ଭେଟି ବ୍ରିଜ୍‌ର ନିର୍ମାଣ କାର୍ଯ୍ୟ ଶେଷ କରି ଇସ୍ପାତ ହସ୍ପିଟାଲକୁ ନବୀକରଣ କରିବାକୁ ଅନୁରୋଧ କରିବେ ବୋଲି ମୁକ୍ତିକାନ୍ତ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ସମସ୍ତ ସୁବିଧାରୁ ବଞ୍ଚିତ ହେଉଥିବା ଅନେକ ଲୋକଙ୍କ ସହିତ ସେ କଥା ହୋଇଥିଲେ। ସେମାନଙ୍କଠାରୁ ସମସ୍ତ ସମସ୍ୟା ଶୁଣିବା ପରେ ସେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପାଦରେ ଚାଲି ଦିଲ୍ଲୀ ଯିବେ ବୋଲି ନିଷ୍ପତ୍ତି ନେଇଥିଲେ।
ଇସ୍ପାତ ଜେନେରାଲ ହସ୍ପିଟାଲ ରାଉରକେଲା ଲୋକଙ୍କର ଜୀବନରେଖା। ଉପଯୁକ୍ତ ସୁବିଧା ସୁଯୋଗ ନ ଥିବାରୁ ଏଠାରେ ରୋଗୀମାନେ ଅନେକ ସମୟରେ ହଇରାଣ ହେଉଛନ୍ତି। ପ୍ରଧାନମନ୍ତ୍ରୀ ଚଳିତବର୍ଷ ତାଙ୍କ ପ୍ରତିଶ୍ରୁତି ପୂରଣ କରିବେ ବୋଲି ମୁକ୍ତିକାନ୍ତ ଆଶା ରଖିଛନ୍ତି।
ତାଙ୍କ ପାଇଁ ଏହା ଏକ ଲଢ଼େଇ ବୋଲି ମୁକ୍ତିକାନ୍ତ କହିଛନ୍ତି। ଯାତ୍ରାରେ ସଫଳ ହେବା ପାଇଁ ସେ ତ୍ରିରଙ୍ଗା ପତାକାକୁ ହାତରେ ଧରିଛନ୍ତି। ଏହା ତାଙ୍କୁ ପ୍ରେରଣା ଦେଉଛି ବୋଲି ସେ କହିଛନ୍ତି। ଅନେକ ବାଟ ଯିବା ପରେ ମୁକ୍ତିକାନ୍ତ ଆଗ୍ରାର ଜାତୀୟ ରାଜପଥରେ ବେହୋସ ହୋଇ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେ ଏବେ ଚିକିତ୍ସିତ ହେଉଛନ୍ତି। ତଥାପି ସେ ବିଚଳିତ ନ ହୋଇ ପ୍ରଧାନମନ୍ତ୍ରୀଙ୍କୁ ଭେଟି ତାଙ୍କ ପ୍ରତିଶ୍ରୁତି ପାଳନ କରିବାକୁ ଅନୁରୋଧ କରିବେ ବୋଲି ଆଶା ବାନ୍ଧିଛନ୍ତି।

(ସୌଜନ୍ୟ- ଏଏନ୍‌ଆଇ)