କେନ୍ଦ୍ର ସରକାର ଗଠନ କରିବେ ଆଦିବାସୀ ପରାମର୍ଶଦାତା ପରିଷଦ: ଜୁଏଲ

ହାଇଦ୍ରାବାଦ: କେନ୍ଦ୍ର ସରକାର ଖୁବଶୀଘ୍ର ଏକ ଆଦିବାଦୀ ପରାମର୍ଶଦାତା ପରିଷଦ ଗଠନ କରିବେ। ଆଦିବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହି ପରିଷଦ ଗଠନ କରାଯିବ। ତା’ସହିତ ସେମାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଅଧିକ ପ୍ରଭାବଶାଳୀ କରିବା ଦିଗରେ ମଧ୍ୟ ଏହି ପରିଷଦ କାର୍ଯ୍ୟ କରିବ। ସୋମବାର ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ।

ହାଇଦ୍ରାବାଦରେ ‘ଆଦିବାସୀଙ୍କୁ ନେଇ ରହିଥିବା ଆଇନ’ ସଂପର୍କିତ ଏକ ସେମିନାରରେ ଯୋଗ ଦେବା ଅବସରରେ ସେ ଏହା କହିଥିଲେ।

ଜୁଏଲ କହିଥିଲେ, ଆଦିବାସୀଙ୍କ ପାଇଁ ରହିଥିବା ଆଇନ୍, ନୀତି ଅବା ନିୟମରେ କୌଣସି ପ୍ରକାର ଅପମିଶ୍ରଣକୁ କେନ୍ଦ୍ର ସରକାର ବରଦାସ୍ତ କରିବେ ନାହିଁ। ଆମେ ଉକ୍ତ ଆଇନ ଓ ନିୟମଗୁଡ଼ିକୁ ଆହୁରି ଶକ୍ତିଶାଳୀ କରିବୁ।

ଆଦିବାସୀଙ୍କ ଭଲ ପାଇଁ ନୀତି ଓ ନିୟମଗୁଡ଼ିକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରାଯିବ। ସେଥିପାଇଁ ଏନଡିଏ ସରକାର ଏକ ଜାତୀୟ ଅନୁସୂଚିତ ଜନଜାତି ନୀତି କରିବା ଉପରେ ଚିନ୍ତା କରୁଛନ୍ତି।

ଅନ୍ୟପକ୍ଷରେ ଆଦିବାସୀମାନେ ସେମାନଙ୍କର ମୂଳ ଭାଷା ଭୁଲି ଯାଉଥିବାରୁ ମନ୍ତ୍ରୀ ଜୁଏଲ ଓରାମ ଚିନ୍ତା ପ୍ରକଟ କରିଥିଲେ। ତେବେ ଶିକ୍ଷା କ୍ଷେତ୍ରରେ ଆଦିବାସୀମାନଙ୍କର ବିକାଶ ହେଉଛି।