ଆୟୁଷ ଅନ୍ତ ପରେ ଜୀବନ: ଅଚଳ ନୋଟ୍‌ରୁ ବିଜୁଳି ଉତ୍ପାଦନ କରିଥିବା ଓଡିଆ  ପୁଅକୁ ଖୋଜୁଛନ୍ତି ମୋଦି

ଭୁବନେଶ୍ୱର: ସରକାର ପୁରୁଣା ୫୦୦ ଟଙ୍କିଆ ନୋଟକୁ ଅଚଳ କରିଦେଲେ। କିନ୍ତୁ ଜଣେ ଯୁବକ ତାକୁ ସଚଳ କରିଦେଲା। ଯାହାର ଭବିଷ୍ୟତ ସବୁଦିନ ପାଇଁ ଅନ୍ଧାର ହୋଇ ଯାଇଥିଲା  କିନ୍ତୁ ସିଏ ବି ଦେଇପାରେ ଆଲୋକ । ଯାହାକୁ  ଜଣେ ଓଡ଼ିଆ ପିଲା ହିଁ  ପ୍ରମାଣିତ କରିଛନ୍ତି।  ସେଇ ଓଡ଼ିଆ ପିଲାର ଚମତ୍କାର  ଗବେଷଣା ଏବେ ଦିଲ୍ଲୀରେ ଚର୍ଚ୍ଚା। ନୂଆପଡ଼ା ଜିଲ୍ଲାର ୧୭ ବର୍ଷୀୟ ଛାତ୍ର ଲଛମନ ଦୁନ୍ଦିଙ୍କ ନୂଆ ଆବିଷ୍କାରକୁ ନେଇ ଅନେକ ସ୍ତମ୍ଭୀଭୁତ। ଅଚଳ ୫୦୦ ଟଙ୍କିଆ ନୋଟ୍‌ରୁ କିଭଳି ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିହେବ ତାହା ସେ କରିଦେଖାଇଛନ୍ତି।

ତାଙ୍କର ଏହି ପ୍ରକଳ୍ପ ପିଏମଓ( ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ)କୁ ଆକର୍ଷିତ କରିଛି।  ଆଉ ଏହାର ପ୍ରତିକ୍ରିୟାରେ ପିଏମଓରୁ ଚିଠି ମଧ୍ୟ ଆସିଥିଲା।  ଗତମାସ ୧୨ ତାରିଖରେ ଏହି ଚିଠି ରାଜ୍ୟ ସରକାରଙ୍କ ପାଖକୁ ଆସିଥିଲା। ଚିଠିରେ ଲଛମନଙ୍କ  ପ୍ରକଳ୍ପ ବିଷୟରେ ଯାଞ୍ଚ କରିବାକୁ  କୁହାଯାଇଥିଲା ।  ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ଦେବା ପାଇଁ କୁହାଯାଇଛି। ଲଛମନ ହେଉଛନ୍ତି  ନୂଆପଡ଼ାର ଖରିଆର କଲେଜର ବିଜ୍ଞାନ ଛାତ୍ର।  ଗତ ନଭେମ୍ବର ମାସରେ ପୁରୁଣା ୫୦୦ ଟଙ୍କିଆ ନୋଟ୍‌କୁ ସରକାର ଅଚଳ ଘୋଷଣା କରିଥିଲେ।

ସେହି ଅଚଳ ନୋଟରୁ  ବିଦ୍ୟୁତ୍‌ ଶକ୍ତି ଉତ୍ପାଦନର ଉପାୟ ବାହାର କରିଥିଲେ ଲଛମନ। ଏଥିପାଇଁ ସେ ପରୀକ୍ଷାନିରୀକ୍ଷା ଆରମ୍ଭ କରିଦେଇଥିଲେ। ସେହି ପୁରୁଣା ୫୦୦ ଟଙ୍କିଆ ନୋଟକୁ ସେ ପ୍ରଥମେ ଚିରି ଦେଇଥିଲେ।  ଚିରିବା ପରେ ପରେ ନୋଟ ଭିତରେ ସିଲକନ କୋଟିଂ ଥିବା ସେ ସନ୍ଧାନ ପାଇଥିଲେ। ଏହି ସିଲକନ କୋଟିଂକୁ ନେଇ ସୌରଶକ୍ତି ମାଧ୍ୟମରେ ବିଦ୍ୟୁତ୍‌ ଉତ୍ପାଦନ କରିବାରେ ସଫଳ ହୋଇଥିବା କହିଥିଲେ। ଏଥିରୁ ସେ ୫ ଭୋଲଟ୍‌ ପର୍ଯ୍ୟନ୍ତ ବିଜୁଳି ଶକ୍ତି ଉତ୍ପାଦନ  କରିବାରେ ସଫଳ ହୋଇଥିଲେ।  ଦୁନିଆର କିଛି ବି ଜିନିଷ ଅଚଳ ନୁହେଁ । ଖାଲି ପ୍ରକୃତ ତରିକାରେ ଉପଯୋଗ କରିବାର ଅଛି। ଯାହା ଲଛମନଙ୍କ ଭଳି ପ୍ରତିଭାମାନେ ସନ୍ଧାନ ପାଇପାରିଥାନ୍ତି।