ଜୀବନ ଦେଇ ମହିଳାଙ୍କ ଜୀବନ ବଞ୍ଚାଇଲେ ଆଇଏଏସ୍‌ ଅଫିସର୍‌

ନୂଆଦିଲ୍ଲୀ: ଦିଲ୍ଲୀର ବୋରଶରାୟରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ମହିଳା ସହଯୋଗୀଙ୍କୁ ବଞ୍ଚାଇବାକୁ ଯାଇ ଜଣେ ଆଇଏଏସ୍‌ ଅଫିସରଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ସୋନିପତର ୩୦ ବର୍ଷୀୟ ଆଶିଷ ଦହିଆ ଭାରତୀୟ ପ୍ରଶାସନିକ ସେବା ପାଇଁ ଚୟନ ହୋଇଥିବା ବେଳେ ସମସ୍ତଙ୍କ ସହ ମିସି ଟ୍ରେନିଂ ନେଉଥିଲେ। ସୋମବାର ଟ୍ରେନିଂର ଶେଷ ଦିନ ଥିବା ବେଳେ ସମସ୍ତେ ଏନେଇ ଖୁସି ମନାଇବାକୁ ବୋରଶରାୟ ନିକଟରେ ଏକ ପାର୍ଟିର ଆୟୋଜନ କରିଥିଲେ। ଏକ ସ୍ୱିମିଙ୍ଗପୁଲ୍‌ ନିକଟରେ ଏହି ପାର୍ଟିର ଆୟୋଜନ କରାଯାଇଥିଲା। ସେଠାରେ କିଛି ଲୋକ ମଦ୍ୟପାନ ମଧ୍ୟ କରିଥିଲେ। ଏହାପରେ ପାର୍ଟିରେ ସମସ୍ତେ ଗାଧୋଇବାର ମନ ବଳାଇଥିଲେ। ଏହି ସମୟରେ ହଠାତ ଏକ ମହିଳାଙ୍କର ପାଦ ଖସି ଯାଇଥିଲା ଏବଂ ସେ ପୁଲ ଭିତରକୁ ଚାଲିଯାଇଥିଲେ। ଏହା ଦେଖି ଉପସ୍ଥିତ ଲୋକେ ମହିଳା ଜଣଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ହଠାତ୍‌ ଆଶିଷ ଦହିଆ ସାଥୀ ମହିଳା ସହଯୋଗୀଙ୍କୁ ବଞ୍ଚାଇବାକୁ ଯାଇ ସ୍ୱିମିଙ୍ଗ ପୁଲ୍‌କୁ ଡେଇଁ ପଡି ମହିଳାଙ୍କ ଜୀବନ ବଞ୍ଚିଯାଇଥିଲେ। ମହିଳାଙ୍କୁ ଉଦ୍ଧାର କରିବା ପରେ ପାର୍ଟିରେ ଆଶିଷଙ୍କୁ କିନ୍ତୁ କେହି ଦେଖିବାକୁ ପାଇ ନ ଥିଲେ। ଅନେକ ଖୋଜାଖୋଜି ପରେ ଆଶିଷ ସେହି ପୁଲ ପାଣିରେ ଭାସୁଥିବା ନଜର ଆସିଲେ। ତାଙ୍କୁ ଫୋର୍ଟିସ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ରାତି ପ୍ରାୟ ୧୨ଟା ୫୦ରେ ଡାକ୍ତର ତାଙ୍କୁ ମୃତ ଘୋଷିଣା କରିଥିଲେ।