ନିର୍ବାଚନ ଲଢ଼ିବେ ଅଲିମ୍ପିକ ବିଜେତା ସୁଶୀଲ କୁମାର !

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୨୦୧୪ ଲୋକସଭା ନିର୍ବାଚନ ଫଳାଫଳର ପୁନରାବୃତ୍ତି ଯେମିତି ନହୁଏ ସେଥିପାଇଁ ଅଣ୍ଟା ଭିଡ଼ିଛି କଂଗ୍ରେସ। ଆମ ଆଦମି ପାର୍ଟି ସହ ମେଣ୍ଟ ହେବନି ବୋଲି ସ୍ଥିର ହେବା ପରେ ଯୋଗ୍ୟ ପ୍ରାର୍ଥୀ ଦେବାକୁ ଦଳ ଚିନ୍ତା କରିଛି। ପୂର୍ବ ଦିଲ୍ଲୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ଲଢ଼ିବେ ବୋଲି କଂଗ୍ରେସ ସ୍ଥିର କରିଛି। ଯଦି ଶୀଲା ଦୀକ୍ଷିତ ରାଜି ନ ହୁଅନ୍ତି, ତାହେଲେ ତାଙ୍କ ପୁଅ ସନ୍ଦୀପ ଦୀକ୍ଷିତଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି।
 
ସେହପରି ଦକ୍ଷିଣ ଦିଲ୍ଲୀ ଲୋକସଭା ଆସନରୁ ଅଲିମ୍ପିକ ବିଜେତା ସୁଶୀଲ କୁମାରଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଚିନ୍ତା କରିଛି। ଦକ୍ଷିଣ ଦିଲ୍ଲୀରେ ଜାଠ ସମ୍ପ୍ରଦାୟର ଲୋକଙ୍କ ସଂଖ୍ୟା ଅଧିକ ରହିଛି। ସୁଶୀଲ ଜାଠ ସମ୍ପ୍ରଦାୟର ହୋଇଥିବାରୁ କଂଗ୍ରେସ ସୁଶୀଲଙ୍କୁ ନେଇ ନିର୍ବାଚନ ଲଢ଼ିବ ବୋଲି ଯୋଜନା କରିଛି।
 
ହେଲେ ସୁଶୀଲ ଏ ବାବଦରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ଯଦି ସେ ନିର୍ବାଚନ ଲଢ଼ିବେ ତାହେଲେ ଭାରତୀୟ ରେଳ ବିଭାଗରେ କରିଥିବା ଚାକିରୀ ତାଙ୍କୁ ଛାଡ଼ିବାକୁ ପଡ଼ିବ ବୋଲି ଜଣାପଡ଼ିଛି। ଦକ୍ଷିଣ ଦିଲ୍ଲୀ ଆସନ ପାଇଁ ଆମ ଆଦମି ପାର୍ଟି ମଧ୍ୟ ଜଣେ ଜାଠ ନେତାଙ୍କୁ ଟିକେଟ ଦେଇଥିବା ବେଳେ ବିଜେପି ମଧ୍ୟ ସମାନ ରଣନୀତି ଆପଣାଉଥିବା ଜଣାପଡ଼ିଛି।
 
ସୂଚନାଯୋଗ୍ୟ, ଶୁକ୍ରବାର ଦିଲ୍ଲୀର ୭ଟି ଲୋକସଭା ଆସନରୁ ୪ଟି ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛି। ଅଜୟ ମାକେନ (ନୂଆଦିଲ୍ଲୀ ଲୋକସଭା ଆସନ), କପିଲ ସିବଲ (ଚାନ୍ଦିନୀଚୌକ), ଜେପି ଅଗ୍ରୱାଲ (ନର୍ଥ ଇଷ୍ଟ), ରାଜ କୁମାର ଚୌହ୍ବାନ (ନର୍ଥ ଦିଲ୍ଲୀ)ରୁ ପ୍ରାର୍ଥୀ ହେବେ ବୋଲି କଂଗ୍ରେସ ଘୋଷଣା କରିସାରିଛି।