ମା’ ଛେଉଣ୍ଡ ଛୁଆକୁ କୋଳେଇ ନେଇଛି, ଅଜାଡ଼ି ଦେଉଛି ଶ୍ରଦ୍ଧା   

ଆଜି ବିଶ୍ୱ ମାତୃ ଦିବସ। ସବୁଠି ମା’ର ଗୁଣ ଗାନ । କାରଣ ତା ବାତ୍ସଲ୍ୟ ମମତା, ତ୍ୟାଗ, ତପସ୍ୟା, ଅବଦାନ ଓ ବଳିଦାନର କୌଣସି ତୁଳନା ନାହିଁ। ଦୁନିଆର ସବୁଠୁ ନିଆରା ଏବଂ ମିଠା ଶବ୍ଦ ହେଉଛି ମା’। ଖାଲି ମଣିଷ ପାଇଁ ନୁହେଁ ସବୁ ପ୍ରାଣୀଙ୍କ ପାଇଁ ଜନ୍ମଦାତ୍ରୀର ମହତ୍ୱ ବାସ୍ତବରେ ଅନସ୍ୱୀକାର୍ଯ୍ୟ।

ହେଲେ, ଯାହାର ମା’ ନାହିଁ…? ‘ଆହା କେଡେ ଦୁଃଖ ସତରେ !’

ବାସ୍‌ ଏତିକି କଥା ହିଁ ତା ପାଇଁ ଯଥେଷ୍ଟ । ହୁଏତ ଏ କଥା ସତ ଯେ, ମା’ର ସ୍ଥାନ କେହି ନେଇପାରିବେ ନାହିଁ, ହେଲେ ଆମେ ଯାହା କଥା କହିବାକୁ ଯାଉଛୁ ହୁଏତ ସେମାନେ ବଡ଼ ଭାଗ୍ୟବାନ। ନ ହେଲେ କ’ଣ ମା’ ଭଳି ସେ ତାକୁ ସ୍ନେହ ଦେଉଥାନ୍ତା? ସକାଳୁ ସକାଳୁ ତା ଉଗ୍ର ରୂପ ଚିନ୍ତା କଲେ ମଣିଷଟିଏ ଡରିଯାଉଥିବା ବେଳେ ସେ କ’ଣ ଏହି ମା’ ଛେଉଣ୍ଡ ଶାବକଙ୍କୁ କୋଳରେ ପୁରାଇ ଗେଲ କରନ୍ତା ? ନା ଚାଟିଚୁଟି ଦେଇ ନିଜର ମମତା ଅଜାଡି ଦିଅନ୍ତା, ଠିକ୍‌ ମା’ ଭଳି ?

ଆଜ୍ଞା ହଁ ସେମିତି ହିଁ ହେଉଛି। ସବୁଦିନ ସକାଳେ। ଆମେ କହୁଛୁ ଗୁଜରାଟର ଗିରି ସୋମନାଥ ଜିଲ୍ଲାର ବେଢିଆ ଜଙ୍ଗଲରେ ୩ ମା’ ଛେଉଣ୍ଡ ସିଂହ ଛୁଆଙ୍କ କଥା। ୩ ମାସ ତଳେ ତାଙ୍କ ଜନ୍ମଦାତ୍ରୀ ମାଈ ସିଂହଟି ବିଦ୍ୟୁତ୍‌ ଆଘାତରେ ସବୁଦିନ ପାଇଁ ଆଖି ବୁଜିଦେଲା।

ଏକେଲା ହେଇଗଲେ ୩ ଶାବକ। ଏଇ କଥାକୁ ବୁଝିପାରିଥିଲା ଜଙ୍ଗଲ ସବୁଠାରୁ ହିଂସ୍ର ବୋଲାଉଥିବା ପୁରୁଷ ସିଂହଟି। ତା ହୃଦୟରେ ଜାଗ୍ରତ ହୋଇଥିଲା ମାତୃତ୍ୱ। ସମ୍ଭବତଃ ଏହି ସିଂହଟି ହିଁ ଥିଲା ସେହି ମା’ ଛେଉଣ୍ଡ ସାବକଙ୍କ ପିତା। ଜଙ୍ଗଲରେ ଲାଗିଥିବା ସିସିଟିଭି ଆଧାରରେ ଏ କଥାଟି କୁହାଯାଉଛି। ଖାଲି ଏହି କଥା ନୁହେଁ ନିଜ ଶାବକଙ୍କୁ ସେହି ସିଂହଟି କିପରି ସ୍ନେହ, ଶ୍ରଦ୍ଧା ଅଜାଡି ଦେଉଛି ଏହି ସିଂହ ତାକୁ ମଧ୍ୟ କଏଦ ହୋଇଛି ଏହି କ୍ୟାମେରାରେ। ଆଉ ଶୁଣି ଖୁସି ହେବେ ପୁରୁଷ ସିଂହର ଏଭଳି ଗତିବିଧି ଦେଖି ତାର ନାମ ‘ବେଧିଆ ନାର’ ରଖାଯାଇଛି।

କୁହାଯାଏ ଜଙ୍ଗଲର ରାଜା ସିଂହ ବେଶ୍ ଶକ୍ତିଶାଳି ଏବଂ ଗର୍ବୀ। ସବୁବେଳେ ସେ ଶକ୍ତିଶାଳୀ ରହିବାକୁ ଚାହେଁ। ତେଣୁ ନିଜଠାରୁ ଅଧିକ ଶକ୍ତିଶାଳୀ ସିଂହକୁ ଦେଖିଲେ ସେ ବରଦାସ୍ତ କରିପାରେନି। ତେଣୁ  ଛୋଟ ଛୋଟ ଶାବକଙ୍କୁ ପୁରୁଷ ସିଂହମାନେ ମାରିଦିଅନ୍ତି। କିନ୍ତୁ ଗୁଜରାଟର ଗିରି ସୋମନାଥ ଜିଲ୍ଲାର ବେଢିଆ ଅଞ୍ଚଳରେ ଦେଖିବାକୁ ମିଳିଛି ଠିକ୍‌ ତାର ଓଲଟା ଚିତ୍ର। ଏଠି ‘ବେଧିଆ ନାର’ ଏକାକୀ ୩ଟି ସନ୍ତାରର ଲାଳନ ପାଳନ କରି ଆସୁଛି।

ଫାର୍ମର କର୍ମଚାରୀଙ୍କ କହିବା ଅନୁଯାୟୀ ଏଠାରେ  ୨୬ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଯାହା ମାଧ୍ୟମରେ ସିଂହର ତା’ ପିଲାମାନଙ୍କ ପ୍ରତି ଥିବା ସ୍ନେହ ଶ୍ରଦ୍ଧା ଓ ଯତ୍ନ ଦେଖିବାକୁ ମିଳୁଛି। ସାଧାରଣତଃ ସିଂହମାନଙ୍କୁ ଏତେ ଯତ୍ନବାନ ହେବାର କେବେ ଦେଖିବାକୁ ମିଳେନି। ସେମାନେ ନିଜ ପିଲାମାନଙ୍କୁ କେବେ କେବେ ଆକ୍ରମଣ ମଧ୍ୟ କରନ୍ତି । ତେଣୁ ସିଂହୀ ସର୍ବଦା ନିଜ ପିଲାକୁ ସିଂହଠୁ ଦୂରେଇ ରଖେ। କିନ୍ତୁ ଏଠାରେ ସିଂହ ପାଖରେ ପିଲାମାନେ ରହୁଛନ୍ତି , ଖେଳୁଛନ୍ତି ବୁଲୁଛନ୍ତି ଏବଂ ବିନ୍ଦାସ ଜୀଉଁଛନ୍ତି। ସେମାନଙ୍କୁ କିଛି ବି କ୍ଷତି କରୁନି ପରୁଷ ସିଂହ।

ପ୍ରାୟତଃ ଏମିତି ଦେଖାଯାଏ ସିଂହମାନେ ଅଳସୁଆ। କିନ୍ତୁ ଏଠାରେ ‘ବେଧିଆ ନାର’ ନିଜେ ଶିକାର କରୁଛି ଏବଂ ପିଲାଙ୍କୁ ଖାଦ୍ୟ ଯୋଗାଡ କରିବା ଶିଖାଉଛି। ଖାଲି ସେତିକି ନୁହେଁ ସେ ଗତ ଦୁଇ ବର୍ଷ ମଧ୍ୟରେ ଏହି ପିଲାଙ୍କୁ ନିଜ ସୁରକ୍ଷିତ ରଖିଆସିଛି। ଏଥିରୁ ଗୋଟିଏ ଶିକ୍ଷା ମିଳୁଛି ଯେ, ଆଜିର ସ୍ୱାର୍ଥପର ଦୁନିଆରେ ମଣିଷ ତା’ର ମାନବିକତା ହରାଉଥିବା ବେଳେ ପଶୁ ମାନସିକତାରେ ପରିବର୍ତ୍ତନ ଘଟୁଛି। ଯାହାର ଉଦାରଣ ହେଉଛି ‘ବେଧିଆ ନାର’।