କ୍ୟାନସର ହେବ କି ନାହିଁ ୫ ବର୍ଷ ପୂର୍ବରୁ ଜଣାପଡ଼ିଯିବ; କେବଳ କରିବାକୁ ହେବ ଏକ ବ୍ଳଡ୍ ଟେଷ୍ଟ୍‌!

ନୂଆଦିଲ୍ଲୀ: କ୍ୟାନସର ନାଁ ଶୁଣିଲେ ଡର ଲାଗେ। କ୍ୟାନସରର କାରଣ, ଚିକିତ୍ସା ଆଦି  ପାଇଁ ଏବେବି ଗବେଷଣା ଜାରି ରହିଛି। ସଦ୍ୟ ସୂଚନା ଅନୁଯାୟୀ କ୍ୟାନସର ନେଇ ନିକଟରେ ବୈଜ୍ଞାନିକମାନଙ୍କୁ ମିଳିଛି ଏକ ବଡ଼ ସଫଳତା। ସେମାନେ ଦାବି କରିଛନ୍ତି ଜଣେ ବ୍ୟକ୍ତିଙ୍କୁ  କ୍ୟାନସର ହେବ ନା ନାହିଁ ୫ ବର୍ଷ ପୂର୍ବରୁ ଜାଣିହେବ। ତେବେ ଏହା କେବଳ ବ୍ରେନ୍ କ୍ୟାନସର ବା ମସ୍ତିଷ୍କ କର୍କଟ କ୍ଷେତ୍ରରେ ସମ୍ଭବ। ଏଥିପାଇଁ ଏକ ବିଶେଷ ରକ୍ତ ପରୀକ୍ଷା କରିବାକୁ ହେବ।

ଆମେରିକାର ଓହିୟା ଷ୍ଟେଟ୍ ୟୁନିଭର୍ସିଟିର ପ୍ରମୁଖ ଗବେଷକ ଜୁଡିଥ ସ୍ୱାତର୍ଜବୋମ୍‌  କହିଛନ୍ତି, ଜଣେ ବ୍ୟକ୍ତିଙ୍କୁ ବ୍ରେନ୍ କ୍ୟାନସର ହେବ ନା ନାହିଁ ୫ ବର୍ଷ ପୂର୍ବରୁ ଜାଣି ହେବ। ଜଣେ ବ୍ୟକ୍ତି ବ୍ରେନ୍ କ୍ୟାନସରରେ ଆକ୍ରାନ୍ତ ହେବାର ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ ଇମ୍ୟୁନ ସେଲ୍‌ସ (ପ୍ରତିରକ୍ଷା କୋଷିକା)ର ସୂଚନା ଆଗକୁ ବଢ଼ାଉଥିବା ପ୍ରୋଟିନ୍ କୋଷିକାଗୁଡ଼ିକ ମଧ୍ୟରେ ସହଭାଗିତା କମ୍ ହୋଇଯାଏ। ଯେଉଁମାନଙ୍କୁ ବ୍ରେନ୍ କ୍ୟାନସର ହୋଇଥାଏ ସେମାନଙ୍କଠାରେ ଏହି ପ୍ରୋଟିନ୍ କୋଷିକାଗୁଡ଼ିକ ମଧ୍ୟରେ ସହଭାଗିତ ବହୁତ ଦୁର୍ବଳ ଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି। ବ୍ରେନ୍‌ରେ ଯେଉଁ ଟ୍ୟୁମର ହୁଏ ତାହାକୁ ବିକଶିତ କରିବାରେ ଏହାର ଭୂମିକା ନେଉ ଥାଇପାରେ।”

ସେ ଆହୁରି କହିଛନ୍ତି ଯେ ଏ ନେଇ ଅଧିକ ଗବେଷଣା ଚାଲିଛି।