ସେନାର ଏନ୍‌କାଉଣ୍ଟର: ଜଣେ ଆତଙ୍କବାଦୀ ନିହତ, ଆଉ ଜଣେ ଆତ୍ମସମର୍ପଣ କଲା

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ସୋପିଆଁରେ ଏନକାଉଣ୍ଟର।  ରାତିତମାମ ଗୁଳିବିନିମୟ ପରେ ସେନା ହାତରେ ପ୍ରାଣ ହରାଇଛି ଜଣେ ଆତଙ୍କବାଦୀ। ତା’ ନାଁ  ତାରିକ ଅହମ୍ମଦ। ସେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଜଣେ ସକ୍ରିୟ ସଦସ୍ୟ ଥିଲା।  ଆଦିଲ ନାମକ ଅନ୍ୟ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି। ଏହି କିଛି ମାସ ମଧ୍ୟରେ ଏନ୍‌କାଉଣ୍ଟର ବେଳେ ସେନା ପାଖରେ କୌଣସି ଆତଙ୍କବାଦୀ ଆତ୍ମସମର୍ପଣ କରିବାରେ ଏହା ହେଉଛି ପ୍ରଥମ ଘଟଣା। ତାକୁ ହତ୍ୟା କରାଯିବ ନାହିଁ ପ୍ରତିଶ୍ରୁତି ଦିଆଯିବା ପରେ ସେ ଆତ୍ମସମର୍ପଣ କରିଥିଲା।

ସୋପିଆଁର ବାରବୁଘରେ ଦୁଇ ଜଣ ଆତଙ୍କବାଦୀ ଏକ ଘରେ ଲୁଚି ଥିବା ନେଇ ଗତକାଲି ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା।  ଏହାପରେ ଆତଙ୍କବାଦୀଙ୍କୁ ଧରିବାକୁ ଆରମ୍ଭ ହୋଇଥିଲା ଅପରେସନ୍‌। ତେବେ ଆତଙ୍କବାଦୀମାନେ ସେନାର ସର୍ଚ୍ଚ ଟିମ୍‌ ଉପରକୁ ଗୁଳି ଚଳାଇଥିଲେ। ତା’ପରେ ଦୁଇ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ତାରିକ ନିହତ ହୋଇଥିଲା ବେଳେ ଆଦିଲ ଆତ୍ମସମର୍ପଣ କରିଥିଲା। ତାରିକ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଥିଲା।