୩୩% ମହିଳା ପ୍ରାର୍ଥୀ ପ୍ରସଙ୍ଗ, ସବୁଠୁ ଆଗରେ ଟିଏମସି, ବିଜେଡି

ନୂଆଦିଲ୍ଲୀ: କଂଗ୍ରେସ ନିଜ ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କୁ ଉଭୟ ବିଧାନସଭା ଓ ଲୋକସଭା ଏବଂ ଚାକିରିରେ ୩୩ ପ୍ରତିଶତ ଆରକ୍ଷଣ ନେଇ ପ୍ରତିଶ୍ରୁତି ଦେଇଛି। ହେଲେ ବର୍ତ୍ତମାନ କଂଗ୍ରେସ ଘୋଷଣା କରିଥିବା ୩୫୦ ରୁ ଅଧିକ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର  ୧୩ ପ୍ରତିଶତ ମହିଳା ଅର୍ଥାତ୍ ୪୭ ଜଣ ଟିକେଟ ପାଇଛନ୍ତି। ଗତ  ସାଧାରଣ ନିର୍ବାଚନରେ କଂଗ୍ରେସ ୬୦ଟି ଆସନରେ ମହିଳା ପ୍ରାର୍ଥୀ ଦେଇଥିଲା।
ନିର୍ବାଚନୀ ଇସ୍ତାହାରରେ କଂଗ୍ରେସ ମହିଳା ସଶକ୍ତିକରଣକୁ ନେଇ ଏକାଧିକ ପ୍ରତିଶୃତି ଦେଇଛି। ଯେଉଁଥିରେ କ୍ଷମତାକୁ ଆସିଲେ ସମ୍ବିଧାନ ସଂଶୋଧନ ସହିତ ଚାକିରିରେ ମହିଳାଙ୍କୁ ୩୩ ପ୍ରତିଶତ ଆରକ୍ଷଣ ଭଳି ପ୍ରତିଶ୍ରୁତି ଦେଇଛି କଂଗ୍ରେସ।
ବର୍ତ୍ତମାନ ସୁଦ୍ଧା କଂଗ୍ରେସ ଘୋଷଣା କରିଥିବା ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗରେ ଅଧିକ ପ୍ରାର୍ଥୀ ରହିଛନ୍ତି। ଉତ୍ତର ପ୍ରଦେଶରେ ଟିକେଟ ପାଇଥିବା ୫୫ ପ୍ରାର୍ଥୀଙ୍କ ମଧ୍ୟରୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସମେତ ୧୦ ଜଣ ମହିଳାଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିପରି ପଶ୍ଚିମଙ୍ଗରେ ୪୨ ଲୋକସଭା ଆସନରୁ ୮ ଜଣ ମହିଳାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।
ତେବେ ପଶ୍ଚିମବଙ୍ଗରେ ଶାସକ ଦଳ ତୃଣମୁଳ ୪୨ଟି ଲୋକସଭା ଆସନରୁ ୪୧ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଛି। ୨୦୧୪ରେ ୩୫ ପ୍ରତିଶତ ମହିଳାଙ୍କୁ ଟିଏମସି ପ୍ରାର୍ଥୀ କରିଥିଲା। ସେହିପରି ଓଡ଼ିଶାରେ ବିଜୁ ଜନତା ଦଳ ୨୧ଟି ଲୋକସଭା ଆସନରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଛି। ପୂର୍ବରୁ ମହିଳାଙ୍କୁ ୩୩ ପ୍ରତିଶତ ଆରକ୍ଷଣ ଦେବାକୁ ଘୋଷଣା କରିଥିଲେ ବିଜେଡ଼ି ସଭାପତି  ତଥା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। କିନ୍ତୁ ଏହି ଫର୍ମୁଲା କେବଳ ଲୋକସଭା ଆସନ କ୍ଷେତ୍ରରେ ପାଳିତ ହୋଇଛି।