ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିଲା ପ୍ରସିଦ୍ଧ ବଦ୍ରିନାଥ ଧାମ

ନୂଆଦିଲ୍ଲୀ: ଭକ୍ତଙ୍କର ଅପେକ୍ଷାର ଅନ୍ତ ଘଟିଛି। ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିଲା ଉତ୍ତରାଖଣ୍ଡର ପ୍ରସିଦ୍ଧ ବଦ୍ରିନାଥ ଧାମ। ହିମାଳୟରେ ଥିବା ଚାରିଟି ପ୍ରମୁଖ ଧାମ ମଧ୍ୟରୁ ଅନ୍ୟତମ ବଦ୍ରିନାଥ ଧାମକୁ ଆଜି ଭୋର୍ ସାଢ଼େ ୪ଟାରେ ଖୋଲାଯାଇଛି। ଗତ ଶନିବାର ଠାରୁ ହଜାର ହଜାର ଶ୍ରଦ୍ଧାଳୁ ବଦ୍ରିନାଥଙ୍କ ଦର୍ଶନ ପାଇଁ ଅପେକ୍ଷା କରି ରହିଥିଲେ। ତେବେ କବାଟ ଖୋଲିବା ମାତ୍ରେ ମନ୍ଦିର ଭିତରକୁ ପ୍ରବେଶ କରି ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଦର୍ଶନ କରିଥିଲେ।

ଆଜି ବାବା ବଦ୍ରିନାଥଙ୍କ ନିର୍ବାଣ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। କାଲିଠାରୁ ପ୍ରଭୁଙ୍କର ଶୃଙ୍ଗାର ବେଶ କରାଯାଇ ବିଶେଷ ପୂଜାର୍ଚ୍ଚନା  ଆରମ୍ଭ ହେବ। ଏହାପୂର୍ବରୁ ଗତକାଲି କେଦାରନାଥ ଧାମ ଖୋଲିଥିଲା। ଭୀଷଣ ବରଫପାତ ଯୋଗୁଁ ପ୍ରତିବର୍ଷ ଅକ୍ଟୋବର-ନଭେମ୍ବରରୁ ଏପ୍ରିଲ-ମେ ଯାଏଁ ଏହିସବୁ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବନ୍ଦ କରିଦିଆଯାଏ।