ସେନା ନେବ ପ୍ରତିଶୋଧ, ପୁଣିଥରେ ଆରମ୍ଭ କରିବ ଅପରେଶନ ଅଲ୍‌ଆଉଟ୍

ନୂଆଦିଲ୍ଲୀ: ବହୁତ ହୋଇଗଲା। ଏଣିକି ଆଉ ନୁହେଁ। ସୀମାରେ ଉତ୍ପାତ କରୁଥିବା ଆତଙ୍କବାଦୀଙ୍କ ଆଖିରୁ ନିଦ ହଜାଇବାକୁ ପ୍ରସ୍ତୁତ ହେଉଛି ସେନା। ଜାମ୍ମୁ-କାଶ୍ମୀର ସୀମାନ୍ତରେ ଶାନ୍ତି ଫେରାଇ ଆଣିବାକୁ ପୁଣିଥରେ ଆରମ୍ଭ ହେବ ଅପରେଶନ ଅଲଆଉଟ୍। ଏ ନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ।

ରାଜନାଥ କହିଛନ୍ତି ଯେ, ପବିତ୍ର ରମ୍‌ଜାନ ମାସ ପାଇଁ ଯୁଦ୍ଧ ବିରାମ ଘୋଷଣା କରାଯାଇଥିଲା। ରକ୍ତପାତନ ନ ହେବା ପାଇଁ ଆତଙ୍କବାଦୀଙ୍କ ବିରୋଧରେ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିଲା। କିନ୍ତୁ ଏବେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପୁଣିଥରେ ସେନାକୁ ସ୍ୱତନ୍ତ୍ର କରିଦିଆଯାଇଛି। ଏ ନେଇ ଟ୍ୱିଟ୍‌ ଯୋଗେ ଜଣାଇଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ।

ଯୁଦ୍ଧ ବିରାମର ଫାଇଦା ନେଇ ଆତଙ୍କବାଦୀମାନେ ଅନେକ ବର୍ବରୋଚିତ କାଣ୍ଡ ଘଟାଇଛନ୍ତି। ପ୍ରତିଷ୍ଠିତ ସମ୍ବାଦିକ ସୁଜାତ ବୁଖାରୀ ଓ ଯବାନ ଔରଙ୍ଗଜେବ୍‌ଙ୍କୁ ହତ୍ୟା କରିଛନ୍ତି। ଏଥର କିନ୍ତୁ ଆଉ ନୁହେଁ।  ଯେସାକୁ ତେସା ବିଚାରରେ ପୁଣିଥରେ ଅପରେଶନ ଅଲ୍‌ଆଉଟ୍‌ ଆରମ୍ଭ କରିବାକୁ ଯାଉଛନ୍ତି ଭାରତ ସରକାର।