ବିରୋଧୀ ପଚାରିଲେ, ଆମେ ବିଲ ପାସ କରୁଚୁ ନ ପିଜା ଡେଲିଭରୀ କରୁଛୁ

ଟ୍ରିପଲ ତଲାକ ବିଲ୍‌ ପାସ ପ୍ରସଙ୍ଗ: ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ

ନୂଆଦିଲ୍ଲୀ: ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଗତକାଲି ଭାରତୀୟ ମୁସଲିମ ସମ୍ପ୍ରଦାୟରେ ପ୍ରଚଳିତ ଟ୍ରିପଲ ତଲାକ ପ୍ରଥାକୁ ବ୍ୟାନ୍‌ କରିବା ପାଇଁ ଆଗତ ବିଲ୍‌ ରାଜ୍ୟସଭାର ଅନୁମୋଦନ ଲାଭ କରିଛି। ଅର୍ଥାତ ଏଣିକି ଟ୍ରିପଲ ତଲାକ ଦେବା ଏକ ଦଣ୍ଡନୀୟ ଅପରାଧ ହେବ। ତେବେ ତରବରିଆ ଭାବେ ମୋଦି-୨ ସରକାର ବିଲ୍‌ଗୁଡ଼ିକ ପାସ୍‌ କରୁଥିବାରୁ ଏହାକୁ ନେଇ ବିରୋଧୀ ଆଜି ବର୍ଷିଛନ୍ତି।

କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ ଏ ସଂକ୍ରାନ୍ତରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, “ରାଜ୍ୟସଭାରେ ବିଲ୍‌ ପାସ୍‌ କରିବା ପାଇଁ ସରକାର ବିରୋଧୀ ଦଳଗୁଡ଼ିକୁ ଆଗୁଆ କୌଣସି ସୂଚନା ଦେଉନାହାନ୍ତି। ସରକାର ଚଳିତ ଅଧିବେଶନରେ ୨୩ଟି ବିଲ୍‌ ପାସ୍‌ କରିବାକୁ ଲକ୍ଷ୍ୟ ରଖି ବିରୋଧୀଙ୍କ ପାଖକୁ ଆସିଥିଲେ।

ଏହା ମଧ୍ୟରୁ ୬ଟିକୁ ବିରୋଧୀ ଦଳ ସିଲେକ୍ଟ କମିଟିକୁ ପଠାଇବାକୁ କହିଥିଲେ। ହେଲେ କେନ୍ଦ୍ର ସରକାର ଏହାକୁ ବେଖାତିର କରିଛନ୍ତି। ସେ କହିଛନ୍ତି, ୨୩ଟି ବିଲ୍‌ ଧରି ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ତାଙ୍କ ସହକର୍ମୀ ଆମ ପାଖକୁ ଆସିଥିଲେ। ଆମକୁ କେଉଁ ବିଲ ସିଲେକ୍ଟ କମିଟି ପାଖକୁ ପଠାଯିବ, ସେକଥା ମଧ୍ୟ ପଚାରିଥିଲେ।

ଅତିକମରେ ୬ଟି ବିଲ୍‌ ପଠାଇବାକୁ ଆମେ କହିଥିଲୁ। ତଥାପି କେନ୍ଦ୍ର ସରକାର ଏହାକୁ ଅଣଦେଖା କରିଛନ୍ତି। ଏହି ୬ଟି ବିଲ୍‌ ମଧ୍ୟରେ ଟ୍ରିପଲ ତଲାକ ବିଲ ରହିଥିଲା। ହେଲେ ଏହାକୁ ଗତକାଲି ଆଲୋଚନା କରାଯାଇ ଜୋରଜବରଦସ୍ତ ପାରିତ କରାଯାଇଛି। ଆମେ ଏ ସମ୍ପର୍କରେ ଆଗୁଆ ଅବଗତ ନଥିବାରୁ, ଦଳୀୟ ସାଂସଦଙ୍କୁ ଉପସ୍ଥିତ ରହିବାକୁ ହ୍ୱିପ ମଧ୍ୟ ଜାରି କରିପାରି ନଥିଲୁ। ଫଳରେ ଏକାଧିକ ବିରୋଧୀ ଦଳର ସଦସ୍ୟମାନେ ଗତକାଲି ଗୃହରେ ଉପସ୍ଥିତ ନଥିଲେ। ଏହାର ସୁଯୋଗ ନେଇ ସରକାର ବିଲକୁ ପାସ କରାଇଛନ୍ତି।”

ଟିଏମସି ସାଂସଦ ଡେରେକ ଓବ୍ରାଏନ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ସରକାର ତରବରିଆ ଭାବେ ବିଲ୍‌ ଗୁଡ଼ିକ ପାସ୍‌ କରିବାକୁ ଚାହୁଁଛନ୍ତି। ସଂସଦରେ ବିଲଗୁଡ଼ିକର ତର୍ଜମା ହେବା ଦରକାର। ଆମେ ପିଜା ଡେଲିଭର କରୁଛୁ ନା ବିଲ୍‌କୁ ଅନୁମୋଦନ ଦେଉଛୁ। ୩ ଦିନରେ ୩ଟି ବିଲ୍‌ ପାସ୍‌ ହେବା କ’ଣ ଠିକ୍‌? ଏହା ପିଜା ଡେଲିଭରି ପ୍ରତିଯୋଗିତା ନୁହେଁ। ବର୍ତ୍ତମାନ ସୁଦ୍ଧା ୧୮ଟି ବିଲ୍‌ ପାସ୍‌ ହୋଇଥିଲେ ହେଁ କେବଳ ଗୋଟିଏ ବିଲର ତର୍ଜମା କରାଯାଇଛି।”

ସମାଜବାଦୀ ପାର୍ଟି ନେତା ରାମ ଗୋପାଲ ଯାଦବ ମଧ୍ୟ ଅନୁରୂପ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ସରକାରୀ ଦଳର ମନ୍ତ୍ରୀ ଅତି କମ୍‌ରେ ୩ରୁ ୪ଟି ବିଲ୍‌ ସିଲେକ୍ଟ କମିଟି ନିକଟକୁ ତର୍ଜମା ପାଇଁ ପଠାଯିବ ବୋଲି କହିଥିଲେ। ଏକଥାକୁ କ’ଣ ମନ୍ତ୍ରୀ ଏବେ ମନା କରିବେ କି? ଯଦି ସେ ମନା କରିବେ, ତା’ହେଲେ ମୋର କିଛି କହିବାର ନାହିଁ। କିନ୍ତୁ ସଂସଦର ମର୍ଯ୍ୟାଦା ପାଇଁ ଲଢ଼େଇ କରିବା ଉଚିତ।”