ପ୍ରେମ ପାଇଁ ବଢ଼ିବାରେ ଲାଗିଛି ହତ୍ୟାକାଣ୍ଡ, ୧୬ ବର୍ଷରେ ବଢ଼ିଲାଣି ୨୮%

ନୂଆଦିଲ୍ଲୀ: କୁହାଯାଏ ପ୍ରେମ ସାଶ୍ୱତ ଓ ଚିରନ୍ତନ। ହେଲେ ଏହି ପ୍ରେମ ଯେ କାହାକୁ ହତ୍ୟାକାରୀ ସଜାଇ ଦିଏ, ତାହା ମଧ୍ୟ ଅସମ୍ଭବ ନୁହେଁ। ବର୍ତ୍ତମାନ ଆମ ଦେଶରେ ପ୍ରେମ ବ୍ୟାପାର ଓ ପରକୀୟା ପ୍ରୀତି ଯୋଗୁ ସର୍ବାଧିକ ହତ୍ୟାକାଣ୍ଡ ଘଟୁଥିବା ତଥ୍ୟ ସାମ୍ନାକୁ ଆସିଛି। ଭାରତ ତଥା ବିଶ୍ୱରେ ହତ୍ୟାକାଣ୍ଡ ଜନିତ ଘଟଣା କମୁ ଥିଲେ ହେଁ ପ୍ରେମଜନିତ ହତ୍ୟାକାଣ୍ଡ ଘଟଣା ବଢ଼ିଥିବା ନିକଟରେ ପ୍ରକାଶ ପାଇଥିବା ଏନସିଆରବି ରିପୋର୍ଟରୁ ଜଣାପଡ଼ିଛି।

ଏହି ରିପୋର୍ଟ ଅନୁଯାୟୀ, ୨୦୦୧ରୁ ୨୦୧୭ ମଧ୍ୟରେ ଦେଶରେ ଯେତେ ସବୁ ହତ୍ୟାକାଣ୍ଡ ଘଟିଛି, ତା’ ମଧ୍ୟରୁ ପ୍ରେମ ପାଇଁ ସର୍ବାଧିକ ମୁଣ୍ଡ ଗଡ଼ିଛି। ୨୦୦୧ ଏନ୍‌ସିଆରବି ୩୬,୨୦୨ଟି ହତ୍ୟା ମାମଲା ରୁଜୁ କରିଥିଲା। ତେବେ ୨୦୧୭ ବେଳକୁ ଏହି ସଂଖ୍ୟା ୨୮,୬୫୩ରେ ପହଞ୍ଚିଛି। ଅର୍ଥାତ ହତ୍ୟାକାଣ୍ଡ ମାମଲା ୨୧% ହ୍ରାସ ପାଇଛି। ଦେଶରେ ଯେତେ ସବୁ ହତ୍ୟାକାଣ୍ଡ ଘଟୁଛି, ତା’ ମଧ୍ୟରୁ ପ୍ରେମ ଜନିତ ହତ୍ୟାକାଣ୍ଡ ତୃତୀୟ ସ୍ଥାନରେ ରହିଛି। ୧୬ ବର୍ଷ ମଧ୍ୟରେ ବ୍ୟକ୍ତିଗତ ଆକ୍ରୋଶ ପାଇଁ ୬୭,୭୭୪ଟି ହତ୍ୟାକାଣ୍ଡ ଘଟିଥିବା ବେଳେ ସମ୍ପତ୍ତି ବିବାଦ ପାଇଁ ୫୧,୫୫୪ ଓ ପ୍ରେମ ପାଇଁ ୪୪, ୪୧୨ଟି ହତ୍ୟାକାଣ୍ଡ ଘଟିଛି।

ଏହି ସମୟସୀମା ମଧ୍ୟରେ ବ୍ୟକ୍ତିଗତ ଆକ୍ରୋଶ ଜନିତ ହତ୍ୟାକାଣ୍ଡ ମାମଲା ୪.୩% ହ୍ରାସ ପାଇଥିବା ବେଳେ ସମ୍ପତ୍ତି ପାଇଁ ହତ୍ୟାକାଣ୍ଡ ୧୨% ହ୍ରାସ ପାଇଛି। ତେବେ ପ୍ରେମ ବ୍ୟାପାର ଓ ପରକୀୟା ପ୍ରୀତିଜନିତ ହତ୍ୟାକାଣ୍ଡ ସଂଖ୍ୟା ୨୮% ବୃଦ୍ଧି ଘଟିଛି। ଅନ୍ୟାନ୍ୟ ହତ୍ୟାକାଣ୍ଡ ତୁଳନାରେ ପ୍ରେମ ବ୍ୟାପାର ପାଇଁ ସର୍ବାଧିକ ହତ୍ୟାକାଣ୍ଡ ଆନ୍ଧ୍ର ପ୍ରଦେଶରେ ଘଟୁଛି। ଏଠାରେ ୨୦୦୧ରୁ ୨୦୧୭ ମଧ୍ୟରେ ହାରାହାରି ପ୍ରେମ ପାଇଁ ୩୮୪ ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ଏହି ସଂଖ୍ୟା ୨୭୭ ଥିବା ବେଳେ ଗୁଜରାଟରେ ୧୫୬ ଓ ପଞ୍ଜାବରେ ୯୮ଟି ହତ୍ୟାକାଣ୍ଡ ଘଟିଛି।

ଅନ୍ୟପକ୍ଷରେ ସମଗ୍ର ଦେଶ କଥାକୁ ବିଚାରକୁ ନେଲେ ଉତ୍ତର ପ୍ରଦେଶରେ ସର୍ବାଧିକ ପ୍ରେମ ବ୍ୟାପର ଜନିତ ହତ୍ୟାକାଣ୍ଡ ଘଟୁଛି। ପ୍ରତିବର୍ଷ ଏହି କାରଣ ପାଇଁ ଏଠାରେ ୩୯୫ ଜଣଙ୍କୁ ହତ୍ୟା କରାଯାଉଛି। ଦ୍ୱିତୀୟରେ ତାମିଲନାଡୁ, ତୃତୀୟରେ କର୍ଣ୍ଣାଟକା ଓ ୪ର୍ଥରେ ଦେଶର ରାଜଧାନୀ ଦିଲ୍ଲୀ ରହିଛି।

ଛତିଶଗଡ଼, ଓଡ଼ିଶା, ମଧ୍ୟପ୍ରଦେଶ, ହରିଆଣା, ରାଜସ୍ଥାନ, ବିହାର, ଝାରଖଣ୍ଡ ଓ ଆସାମରେ ଯେତେ ସବୁ ହତ୍ୟାକାଣ୍ଡ ଘଟୁଛି, ତା’ ମଧ୍ୟରୁ ପ୍ରେମ ଜନିତ ହତ୍ୟାକାଣ୍ଡ ସଂଖ୍ୟା ୩ୟ କିମ୍ବା ୪ର୍ଥ ସ୍ଥାନରେ ରହୁଛି। କେରଳ ଓ ପଶ୍ଚିମବଙ୍ଗରେ ସବୁଠାରୁ କମ ସଂଖ୍ୟକ ପ୍ରେମ ଜନିତ ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଛି। ପଶ୍ଚିମବଙ୍ଗରେ ୨୯ଟି ହତ୍ୟାକାଣ୍ଡ ଘଟିଥିବା ବେଳେ କେରଳରେ ମାତ୍ର ୬ଟି ହତ୍ୟାକାଣ୍ଡ ପ୍ରେମ ପାଇଁ ଘଟିଛି।