ପାଣି ଘେରରେ ଟ୍ରେନ, ୧୫ ଘଣ୍ଟା ପରେ ଉଦ୍ଧାର ହେଲେ ହଜାରେ ଯାତ୍ରୀ

ମୁମ୍ବାଇ: ଦୀର୍ଘ ୧୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜଳବନ୍ଦୀ ଅବସ୍ଥାରେ ରହିବା ପରେ ଶେଷରେ ମହାଲକ୍ଷ୍ମୀ ଏକ୍ସପ୍ରେସରୁ ଶହ ଶହ ଯାତ୍ରୀଙ୍କୁ ଉଦ୍ଧାର କରାଯାଇପାରିଛି। ଶନିବାର ପ୍ରବଳ ବର୍ଷା କାରଣରୁ ମୁମ୍ବାଇଠାରୁ ୧୦୦ କିଲୋମିଟର ଦୂରରେ ଏହି ଟ୍ରେନ୍‌ ସମ୍ପୂର୍ଣ୍ଣ ବୁଡ଼ି ଯାଇଥିବା ଟ୍ରାକ୍ ଉପରେ ଫସିରହିଥିଲା। ଖବର ପାଇବା ପରେ ୨ଟି ସାମରିକ ହେଲିକପ୍ଟର ଏବଂ ୬ଟି ବୋଟ୍‌ ସାହାଯ୍ୟରେ ଏନଡିଆରଏଫ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମେ କୁହାଯାଇଥିଲା ଏହି ଟ୍ରେନ୍‌ରେ ୨୦୦୦ ଯାତ୍ରୀ ଥିଲେ। ତେବେ ରେଲ୍‌ୱେ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶେଷ ଖବର ସୁଦ୍ଧା ୧,୦୫୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି।

ମୁମ୍ବାଇରୁ କୋହ୍ଲାପୁର ଅଭିମୁଖେ ଯାଉଥିବା ଏହି ଟ୍ରେନ୍‌ ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଭଙ୍ଗନାନିଠାରେ ଶୁକ୍ରବାର ରାତିରେ ଅଟକି ଯାଇଥିଲା। ଯାତ୍ରୀମାନେ ସୋଶାଲ ମିଡିଆରେ ଭିଡିଓ ଅପ୍‌ଲୋଡ୍‌ କରିବା ପରେ ଏହି ଘଟଣା ବାବଦରେ ଜଣାପଡ଼ିଥିଲା। ସେମାନେ ଏକ ଖବର ସରବରାହ ସଂସ୍ଥାକୁ ଜଣାଇଥିଲେ ଯେ ୧୫ ଘଣ୍ଟା ଧରି ସେମାନେ ଖାଦ୍ୟ କିମ୍ବା ପାଣି ପାଇ ପାରୁନାହାନ୍ତି। ଟ୍ରେନ୍‌ ଟ୍ରାକ୍ ଉପରେ ୫ରୁ ୬ ଫୁଟ୍‌ ଉଚ୍ଚର ପାଣି ଜମି ରହିଥିବାରୁ ବାହାରକୁ ବାହାରି ହେଉନାହିଁ ବୋଲି ସେମାନେ କହିଥିଲେ।

ତେବେ ଶନିବାର ଅପରାହ୍ଣ ସୁଦ୍ଧା ସମସ୍ତ ଯାତ୍ରୀଙ୍କ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ରେଲୱେ ପକ୍ଷରୁ କୁହାଯାଇଛି। ମହାରାଷ୍ଟ୍ରର ମନ୍ତ୍ରୀ ଏକନାଥ ଗାଏକ୍ୱାଡ୍‌ଙ୍କ କହିବା ଅନୁଯାୟୀ, ୨ଟି ସାମରିକ ହେଲିକପ୍ଟର ଏବଂ ଏନ୍‌ଡିଆରଏଫ୍‌ର ୬ଟି ବୋଟ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ମୁମ୍ବାଇ, ଥାଣେ ଏବଂ ପୁଣେରୁ ଏହି ରବର ବୋଟ୍‌ ଅଣାଯାଇ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିବା ସେ ସୂଚନା ଦେଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯିବା ପରେ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଜରିଆରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌କୁ ନିଆଯାଇଛି।

ଏନ୍‌ଡିଆରଏଫ୍‌ ଡିଜି ଏସ୍‌ଏନ୍‌ ପ୍ରଧାନ କହିଛନ୍ତି, ମହିଳା ଏବଂ ଶିଶୁମାନଙ୍କୁ ପ୍ରଥମେ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରେ ୯ ଜଣ ଗର୍ଭବତୀ ମହିଳା ମଧ୍ୟ ଥିଲେ। ଏହାପରେ ବୟସ୍କ ଲୋକ ଏବଂ ପୁରୁଷମାନଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରାୟ ୮ ଘଣ୍ଟା ଧରି ଏହି ଅପରେସନ୍‌ ଚାଲୁ ରହିଥିଲା। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‌ ମଧ୍ୟ ଏହି ଉଦ୍ଧାର କାର୍ଯ୍ୟ ନିଜେ ତଦାରଖ କରିବା ସହ ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ସମେତ ୩୭ ଜଣ ଡାକ୍ତର, ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀକାଳୀନ ସାମଗ୍ରୀ, ୧୪ଟି ବସ୍‌ ଏବଂ ଟେମ୍ପୋର ବ୍ୟବସ୍ଥା ହୋଇଥିବା କହିଥିଲେ। ସେ ଆରମ୍ଭରୁ ଅଟକି ରହିଥିବା ଯାତ୍ରୀଙ୍କୁ ବ୍ୟସ୍ତ ନହେବା ପାଇଁ କହିଥିଲେ ଏବଂ ସ୍ଥାନୀୟ ପ୍ରଶାସନ ସମେତ ରାଜ୍ୟ ଓ କେନ୍ଦ୍ରର ବିଭିନ୍ନ ସଂସ୍ଥା ଉଦ୍ଧାର କାର୍ଯ୍ୟ ପାଇଁ ପହଞ୍ଚୁଥିବାର ସୂଚନା ଦେଇଥିଲେ।

ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅନୁଷ୍ଠାନ ଏବଂ କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ କହିଛନ୍ତି, ଏନ୍‌ଡିଆରଏଫ୍‌, ସେନା, ନୌସେନା, ବାୟୁସେନା, ପୁଲିସ୍‌, ଡାକ୍ତର ଏବଂ ଅନ୍ୟ ସମସ୍ତ ବିଭାଗର ଯେଉଁ ସବୁ ବ୍ୟକ୍ତିମାନେ ମହାଲକ୍ଷ୍ମୀ ଏକ୍ସପ୍ରେସରେ ଅଟକି ରହିଥିବା ଯାତ୍ରୀମାନଙ୍କ ଉଦ୍ଧାର ଓ ଅନ୍ୟ ବ୍ୟବସ୍ଥାର ଦାୟିତ୍ୱ ନେଇଥିଲେ, ସେମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ସେହିଭଳି କେନ୍ଦ୍ର ଗୃହମନ୍ତ୍ରୀଙ୍କ ପକ୍ଷରୁ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଧ୍ୟ ଏହି ସଂସ୍ଥାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗ୍‌ଦର୍ଶନରେ ଦେଶର ଯେକୌଣସି ପ୍ରାନ୍ତରେ ଏଭଳି ସ୍ଥିତି ଉପୁଜିଲେ ଏନ୍‌ଡିଆରଏଫ୍‌ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‌ଙ୍କ ସହିତ ଲଗାତାର ଯୋଗାଯୋଗ କରାଯାଉଛି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିଜେ ଏହାର ତଦାରଖ କରୁଛନ୍ତି ବୋଲି ଶ୍ରୀ ରାୟ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ରାତିରୁ ପ୍ରବଳ ବର୍ଷା କାରଣରୁ ରୂପର ନଗରୀ ମୁମ୍ବାଇର ଅବସ୍ଥା ଖରାପ ହେବାରେ ଲାଗିଛି। ୧୧ଟି ବିମାନ ବାତିଲ କରାଯାଇଥିବାବେଳେ କିଛି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି। ପ୍ରତିବର୍ଷ ମୌସୁମୀ ଆସିଲେ ଭାରତର ଆର୍ଥିକ ଏବଂ ମନୋରଞ୍ଜନ ଶିଳ୍ପର ରାଜଧାନୀ ମୁମ୍ବାଇ ବେହାଲ ହୋଇଥାଏ।