ଚିଦାମ୍ବରମଙ୍କ ଜାମିନ ଆବେଦନ ଖାରଜ, କୋର୍ଟ କହିଲେ ଏମିତି କଥା

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ଇଡି ଦ୍ୱାରା ଗରିଫ ହୋଇ ଜେଲରେ ଥିବା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ପୁଣିଥରେ ନିରାଶ ହେବାକୁ ପଡ଼ିଛି। ସେ ଆଜି ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ହେଁ ଏହା ଖାରଜ ହୋଇଯାଇଛି। ଜାମିନ ଆବେଦନ ଖାରଜ ବେଳେ କୋର୍ଟ ବଡ଼ ବୟାନ ଦେଇଛନ୍ତି। କୋର୍ଟ କହିଛନ୍ତି, “ଯଦି ଆମେ ଚିଦାମ୍ବରମଙ୍କୁ ଜାମିନ୍‌ରେ ଖଲାସ କରୁଛୁ, ତା’ହେଲେ ଏହା ସମାଜକୁ ଏକ ଭୁଲ ବାର୍ତ୍ତା ଦେବ।”

ଆଇଏନଏକ୍ସ ମିଡିଆ ମାମଲାରେ ପ୍ରଥମେ ସିବିଆଇ ତାଙ୍କୁ ଗିରଫ କରିଥିଲା। ଏହାର ମାସକ ପରେ ସୁପ୍ରିମକୋର୍ଟ ତାଙ୍କୁ ଏହି ମାମଲାରେ ଜାମିନ ଦେବା ପୂର୍ବରୁ ହିଁ ଇଡି ତାଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ କରିଥିଲା। ଦୀର୍ଘ ୮୫ ଦିନ ହେଲା ଚିଦାମ୍ବରମ ଦୁଇ ତଦନ୍ତକାରୀ ସଂସ୍ଥାଙ୍କ ହେପାଜତରେ ରହିଛନ୍ତି। ଏହି ୮୫ ଦିନ ମଧ୍ୟରୁ ତାଙ୍କୁ ଅଧିକାଂଶ ଦିନ ତିହାର ଜେଲରେ ହିଁ କାଟିବାକୁ ପଡ଼ିଛି।

ଆଜି ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ସୁରେଶ କୈତ ଜାମିନ୍‌ ଆବେଦନ ଖାରଜ କରିବା ବେଳେ କହିଛନ୍ତି, “ଏହି ମାମଲାରେ ଚିଦାମ୍ବରମ ସକ୍ରିୟ ଓ ମୁଖ୍ୟ ଭୂମିକା ତୁଲାଇଛନ୍ତି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ସମ୍ବେଦନଶୀଳ। ତେଣୁ ତାଙ୍କୁ ଜାମିନ ଦେବା ସମାଜକୁ ଏକ ଭୁଲ ବାର୍ତ୍ତା ଦେବ।”

ଆଜିର ଶୁଣାଣି ବେଳେ ଚିଦାମ୍ବରମଙ୍କ ଓକିଲ କପିଲ ଶିବଲ ଜାମିନ ପାଇଁ ଜୋରଦାର ଉଦ୍ୟମ କରିଥିଲେ। ହେଲେ ଏହାକୁ ଇଡି ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ବିରୋଧ କରିଥିଲେ।