ଅନୁରୋଧ ଶୁଣିଲେନି କୋର୍ଟ, ଜେଲରେ ରହିବେ ଚିଦାମ୍ବରମ୍‌

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଜେଲରେ ଥିବା ପୂର୍ବତନ ଗୃହମନ୍ତ୍ରୀ ପି ଚିଦାମ୍ବରମ୍‌ ଏକ ଦିଲ୍ଲୀ କୋର୍ଟରେ କରିଥିବା ଆବେଦନ ଖାରଜ ହୋଇଯାଇଛି। ସେ ଆତ୍ମସମର୍ପଣ କରିବା ପାଇଁ ଏହି ଆବେଦନ କରିଥିଲେ। ସ୍ୱତନ୍ତ୍ର ବିଚାରପତି ଜଷ୍ଟିସ୍‌ ଅଜୟ କୁମାର କୁହଁର ଏହି ଆବେଦନର ଶୁଣାଣି କରୁଥିଲେ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଗୁରୁବାର କୁହାଯାଇଛି, ଆଇଏନ୍‌ଏକ୍ସ ମିଡିଆ ମନି ଲଣ୍ଡରିଂ ମାମଲାରେ ଚିଦାମ୍ବରମ୍‌ଙ୍କୁ ଗିରଫ ଜରୁରୀ। ସମୟ ଆସିଲେ ଇଡି ନିଶ୍ଚୟ ଏହି ପଦକ୍ଷେପ ନେବ ବୋଲି ଏହି ଅବସରରେ କୁହାଯାଇଥିଲା। ଏହାପରେ ଚିଦାମ୍ବରମ୍‌ଙ୍କ ଓକିଲ କହିଥିଲେ, ଇଡି ଉଦ୍ଦେଶ୍ୟମୂଳକଭାବେ ତାଙ୍କୁ ହଇରାଣ କରିବାକୁ ଏପରି କରୁଛି। ସୂଚନାଯୋଗ୍ୟ ଯେ, ସିବିଆଇ ତଦନ୍ତ କରୁଥିବା ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ବରମ୍‌ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

ଇଡି ଏହା ପୂର୍ବରୁ କୋର୍ଟକୁ କହିଥିଲା, ଚିଦାମ୍ବରମ୍‌ ସିବିଆଇ ମାମଲାରେ ବିଚାର ବିଭାଗୀୟ ହାଜତରେ ଥିବାରୁ ପ୍ରମାଣକୁ ପ୍ରଭାବିତ କରିବା ପାଇଁ କିଛି କରିପାରିବନାହିଁ। ଚିଦାମ୍ବରମ୍‌ଙ୍କ ପାଇଁ ଲଢ଼ୁଥିବା ବରିଷ୍ଠ ଓକିଲ କପିଲ ଶିବଲ ଏହାର ଉତ୍ତରରେ କହିଥିଲେ, ଇଡି ଅଗଷ୍ଟ ୨୦ ଏବଂ ୨୧ ତାରିଖରେ ଏହି ବରିଷ୍ଠ କଂଗ୍ରେସ ନେତାଙ୍କୁ ଗିରଫ କରିବା ପାଇଁ ତାଙ୍କ ଘରକୁ ଆସିଥିଲା। କିନ୍ତୁ ଏବେ ଇଡି ତାହା କରୁନାହିଁ। ଇଡି ଚାହୁଁଛି ଚିଦାମ୍ବରମ୍‌ ବିଚାର ବିଭାଗୀୟ ହାଜତରେ ରୁହନ୍ତୁ।

ଏହା ପରେ ଇଡି ପକ୍ଷରୁ କୁହାଯାଇଥିଲା, ତାଙ୍କୁ ହେପାଜତକୁ ନେଇ ପଚରା ଉଚରା କରାଯିବା ପୂର୍ବରୁ ଅନ୍ୟ କିଛି ପଦକ୍ଷେପ ନିଆଯିବାର ଅଛି। ଇଡି ଏହା ପୂର୍ବରୁ ମନି ଲଣ୍ଡରିଂ ମାମଲାରେ ୬ ଜଣଙ୍କୁ ଜେରା କରିବ। ତଦନ୍ତ କେମିତି ହେବ ତାହା ଅଭିଯୁକ୍ତ ପରାମର୍ଶ ଦେଇପାରିବନି ବୋଲି ଏହି ଅବସରରେ କୁହାଯାଇଥିଲା।

ସେପ୍ଟେମ୍ବର ୫ରେ ଏହି ଦୁର୍ନୀତି ମାମଲାରେ ଚିଦାମ୍ବରମ୍‌ଙ୍କୁ ସେପ୍ଟେମ୍ବର ୧୯ ଯାଏ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ସେହିଦିନ ହିଁ ସୁପ୍ରିମ୍‌କୋର୍ଟ ଇଡିକୁ ଚିଦାମ୍ବରମ୍‌ଙ୍କ ଆତ୍ମସମର୍ପଣ ନେଇ ନୋଟିସ୍‌ କରିଥିଲେ। ଏହି ଦିନ ହିଁ ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମ୍‌ଙ୍କ ଅନ୍ତରୀଣ ଜାମିନ୍‌ ଖାରଜ କରିବା ବିରୋଧରେ ଆଗତ ଆବେଦନକୁ ମଧ୍ୟ ସୁପ୍ରିମ୍‌କୋର୍ଟ ଖାରଜ କରିଥିଲେ।