ପ୍ୟାଡ୍ ମ୍ୟାନ ନୁହେଁ , ପ୍ୟାଡ୍ କପୁଲ : ୫ ବର୍ଷ ହେଲା ଗରିବଙ୍କୁ ବାଣ୍ଟୁଛନ୍ତି ସାନିଟାରି ପ୍ୟାଡ୍

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର):  ଅକ୍ଷୟ କୁମାର “ପ୍ୟାଡ୍‌ମ୍ୟାନ୍‌”। ସାଇକେଲ ଚଢି ଗାଁ ଗଣ୍ଡା ସବୁଠି ବୁଲୁଛନ୍ତି ଆଉ ମହିଳାଙ୍କୁ ବାଣ୍ଟୁଛନ୍ତି ସାନିଟାରୀ ପ୍ୟାଡ୍‌। ଋତୁଶ୍ରାବ ସମୟରେ ସ୍ୱଚ୍ଛତା ପ୍ରତି ସେଚେତନ ହେବାକୁ ମହିଳା ତଥା ଯୁବତୀମାନଙ୍କୁ ଏମିତି କରି ସେ ବାର୍ତ୍ତା ଦେଉଛନ୍ତି। ଏହାର ବ୍ୟବହାରକୁ ଗୁରୁତ୍ୱ ଦେବା ସହ ପୁରାତନ ପଦ୍ଧତି ସବୁକୁ କିଭଳି ନ ଆପଣାଯିବ ସେ ନେଇ କରୁଛନ୍ତି ସେଚତନ। ବଲିଉଡ୍‌ ଚଳଚ୍ଚିତ୍ର “ପ୍ୟାଡ୍‌ମ୍ୟାନ୍‌”ରେ ଏଭଳି ଛବି ଦେଖିବାକୁ ପାଇବେ ଦର୍ଶକ।

ହେଲେ ଜାଣିଛନ୍ତି ପ୍ୟାଡ୍‌ ଖାଲି ଅକ୍ଷୟ ବାଣ୍ଟୁନାହାନ୍ତି। କେହି ଦମ୍ପତି ଏମିତି ଅଛନ୍ତି ଯିଏ ୫ ବର୍ଷ ହେବ ଏହି କାମ କରୁଛନ୍ତି। ତା ହେଲେ ଆସନ୍ତୁ ଭେଟିବା ରିଅଲ ଲାଇଫ୍‌ର ଏହି ‘ପ୍ୟାଡ୍‌ କପଲ’ଙ୍କୁ ।  ଗୁଜରାଟ ସୁରତର ମୀନା ଏବଂ ଅତୁଲ ମେହେଟ୍ଟା ୫ ବର୍ଷ ହେଲା ବିଭିନ୍ନ ବସ୍ତିରେ ଗରିବ ମହିଳା ଓ ସ୍କୁଲରେ ଛାତ୍ରୀମାନଙ୍କୁ ମାଗଣାରେ ସାନିଟାରି ପ୍ୟାଡ୍ ବାଣ୍ଟୁଛନ୍ତି। ଆଉ ଏହି ମହତ୍‌ କାର୍ଯ୍ୟଟି କେମିତି ଆରମ୍ଭ ହୋଇଥିଲା ଜାଣନ୍ତି।

ଦିନେ ମେହଟା ଦମ୍ପତି ରାସ୍ତାରେ ଯାଉଥିବା ବେଳେ ଅଳିଆଗଦା ପାଖରେ ଛିଡା ହୋଇଥିବା ଜଣେ ଯୁବତୀଙ୍କୁ ଦେଖିଲେ। ଯୁବତୀ ଜଣକ ସେଠାରେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ଅଳିଆଗଦାରେ ପଡିଥିବା ଏକ ବ୍ୟବହୃତ ପ୍ୟାଡ୍ ସଂଗ୍ରହ କରି ଦୌଡିବାକୁ ଲାଗିଲେ। ଏହାର ବ୍ୟବହାର ତାଙ୍କ ଶରୀର ପ୍ରତି ହାନୀକାରକ । ଏ କଥା ଜାଣିଥିଲେ ମଧ୍ୟ କିଛି ଉପାୟ ନ ଥିବାରୁ ଝିଅଟି ଏମିତି କରିବାକୁ ବାଧ୍ୟ ହୋଇଥିଲା ବୋଲି ସେ ହୃଦ୍‌ବୋଧ କଲେ। ବାସ୍‌ ତା ପରଠାରୁ ମେହଟା ଦମ୍ପତି ଏହି କାର୍ଯ୍ୟଟି ଲାଗି ନିଜକୁ ଉତ୍ସର୍ଗ କଲେ। ବାଣ୍ଟିବାକୁ ଲାଗିଲେ ସାନିଟାରୀ ପ୍ୟାଡ୍‌।  ତାଙ୍କର ଏହି ସହଯୋଗ ଏବେ ସେଠାରେ ରହୁଥିବା ଅନେକ ଓଡିଆ ମହିଳା ମଧ୍ୟ ଉପକୃତ ହୋଇଛନ୍ତି।