କାଲି ପରଦାକୁ ଆସିବା ପୂର୍ବରୁ ଆଜି ସିନେମା ହଲକୁ ଜାଳିଦେଲେ, ବସ୍‌ ବି ପୋଡ଼ିଲେ  

ନୂଆଦିଲ୍ଲୀ: ଲିଭୁନି ପଦ୍ମାବତ୍ ନିଆଁ।   ଆସନ୍ତାକାଲି ଏହି ବିବାଦୀୟ ଫିଲ୍ମ ରିଲିଜ ହେବାର ଥିବା ବେଳେ ଜାରି ରହିଛି ବିରୋଧ ।  ଗୁରଗାଁଓରେ ଏକ ବସ୍ ପୋଡ଼ି ଦେଇଛନ୍ତି ଉତ୍ୟକ୍ତ ଲୋକେ ।  ଏହା ସହିତ ପୋଲିସ ଉପରକୁ ପଥରମାଡ଼ ମଧ୍ୟ କହିଛନ୍ତି ।  ସିନେମା ହଲ୍ ଚାରିପଟେ ୧୪୪ ଧାରା ସତ୍ତ୍ୱେ ପରିସ୍ଥିତି ଅଶାନ୍ତ ଅଛି ।  ସେହିପରି ଅହମ୍ମଦାବାଦରେ ସିନେମା ହଲରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ।   ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ରାୟ ସତ୍ତ୍ୱେ ଫିଲ୍ମ ପଦ୍ମାବତକୁ ଜାରି ରହିଛି ବିରୋଧ।   ଅହମ୍ମଦାବାଦରେ ଜଳାପୋଡ଼ା ଓ ଭଙ୍ଗାରୁଜା ହୋଇଛି।  ପୋଡ଼ି ଯାଇଛି ୫୦ରୁ ଅଧିକ ବାଇକ୍ । ଏହି ଘଟଣାରେ ୫୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି ପୋଲିସ ।  ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ଲୁହାବୁହା ଗ୍ୟାସ ପ୍ରୟୋଗ କରିଥିଲା।   ଫାଙ୍କା ଗୁଳି ଚାଳନା ବି କରାଯାଇଥିଲା ।  ପଦ୍ମାବତ୍ ବିରୋଧରେ ହିଂସାକାଣ୍ଡକୁ ଦେଖି କେତେକ ସିନେମା ହଲ୍ ମାଲିକ ନିଜ ଆଡୁ ଫିଲ୍ମ ରିଲିଜ କରିବାକୁ ମନା କରିଦେଇଛନ୍ତି  । ଏସବୁ ହିଂସାକାଣ୍ଡରେ କରଣୀ ସେନାର ହାତ ନ ଥିବା ସ୍ପଷ୍ଟୀକରଣ ଦିଆଯାଇଛି ।  କିନ୍ତୁ ବିରୋଧ ଜାରି ରହିବ ବୋଲି ଘୋଷଣା କରିଛି କରନି ସେନା।

କେବଳ ଅହମ୍ମଦାବାଦ ନୁହେଁ, ଦେଶର ଅନେକ ଅଞ୍ଚଳରେ ପଦ୍ମାବତ୍‌କୁ ବିରୋଧ କରାଯାଉଛି ।  ଆସନ୍ତାକାଲି ଫିଲ୍ଟଟି ରିଲିଜ ହେଉଥିବା ବେଳେ ରାଜସ୍ଥାନ, ଗୁଜରାଟ ଓ ହରିୟାଣାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗୁରଗାଁଓରେ ସିନେମା ହଲ୍ ପାଖରେ ଜାରି କରାଯାଇଛି ୧୪୪ ଧାରା ।  ତା ସହିତ ହଲରେ ୨୦୦ ମିଟର ପରିଧି ମଧ୍ୟରେ ଶୋଭାଯାତ୍ରା ଓ ସ୍ଲୋଗାନକୁ କରାଯାଇଛି ବ୍ୟାନ।  ଉତ୍ତର ଭାରତର ଅନେକ ସ୍ଥାନରେ ପଦ୍ମାବତ୍‌କୁ ବିରୋଧ କରାଯାଉଛି।   ଦିଲ୍ଲୀ-ଜୟପୁର ରାଜରାସ୍ତାକୁ ଅବରୋଧ କରିଥିଲା କରଣୀ ସେନା।   ସେହିପରି ଦିଲ୍ଲୀ ଅଜମେର୍ ରାସ୍ତାକୁ ମଧ୍ୟ ଅବରୋଧ କରାଯାଇଥିଲା  ରାଜସ୍ଥାନର କେତେକ ଅଞ୍ଚଳରେ ହିଂସାକାଣ୍ଡ ହୋଇଥିବା ସୂଚନା ମିଳିଛି।

ସେହିପରି କାନପୁରରେ ମଧ୍ୟ ଗଣ୍ଡଗୋଳକାରୀମାନେ ପୋଷ୍ଟର ଚିରିବା ସହିତ ହଲ୍ରେ ଭଙ୍ଗାରୁଜା କରିଛନ୍ତି।   ଫିଲ୍ମ ରିଲିଜକୁ ବନ୍ଦ କରିବାକୁ ଦାବି କରିଛନ୍ତି ସେମାନେ। ସଂଜୟ ଲୀଳା ଭଂସାଲିଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ଚିତୋରଗଡ଼ର ରାଣୀ ପଦ୍ମାବତୀଙ୍କୁ ଭୁଲ ଭାବେ ଚିତ୍ରଣ କରାଯାଇଥିବା ରାଜପୁତ ସଂଗଠନଗୁଡ଼ିକ ଅଭିଯୋଗ କରୁଛନ୍ତି।   ୫ଟି ରାଜ୍ୟ ଫିଲ୍ମକୁ ବ୍ୟାନ କରିଥିଲେ।  ହେଲେ ଏହାକୁ ଉଠାଇ ଦେଇଥିଲେ ସୁପ୍ରିମକୋର୍ଟ।   କୌଣସି ରାଜ୍ୟ ଫିଲ୍ମକୁ ବ୍ୟାନ କରିପାରିବେନି ବୋଲି ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।