ସୁପ୍ରିମକୋର୍ଟଙ୍କ ଫଇସଲା: କୌଣସି ରାଜ୍ୟରେ ବ୍ୟାନ୍ ହୋଇପାରିବନି ‘ପଦ୍ମାବତ୍’

ନୂଆଦିଲ୍ଲୀ: ଫିଲ୍ମ ‘ପଦ୍ମାବତ’ ଉପରେ ଲାଗି ପାରିବ ନାହିଁ ପ୍ରତିବନ୍ଧକ। ହିନ୍ଦୀ ଫିଲ୍ମ ‘ପଦ୍ମାବତ’କୁ ସୁପ୍ରିମକୋର୍ଟଙ୍କ ଗ୍ରୀନ୍ ସିଗନାଲ ମିଳିଛି। ମଧ୍ୟପ୍ରଦେଶ, ହରିଆଣା, ରାଜସ୍ଥାନ ଏବଂ ଗୁଜରାଟ ସରକାରଙ୍କ ବ୍ୟାନକୁ ଖାରଜ କରିଛନ୍ତି ସବୋର୍ଚ୍ଚ ଅଦାଲତ। ସେନ୍ସର ବୋର୍ଡରୁ ଫିଲ୍ମକୁ ଅନୁମତି ମିଳିବା ପରେ ଏହା ଉପରେ କଟକଣା ଲାଗିପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମ୍ କୋର୍ଟ।

ଫିଲ୍ମ ଉପରେ କଟକଣା ଲଗାଇବା ପ୍ରତିବାଦରେ ପ୍ରଯୋଜନା ସଂସ୍ଥା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।  ଏବଂ ଫିଲ୍ମ ରିଲିଜ୍ ତାରିଖ ଘୋଷଣା ସରିଥିବାରୁ ଏହା ଉପରେ ତ୍ୱରିତ ଶୁଶାଣି ପାଇଁ ନିବେଦନ କରିଥିଲା। ଆସନ୍ତାକାଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଅଧକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଆବେଦନର ଶୁଣାଣୀ କରିଥିଲେ। ସୁପ୍ରିମକୋର୍ଟରେ ବରିଷ୍ଠ ଓକିଲ ହରିଶ ସାଲଭେ ପ୍ରଯୋଜନା ସଂସ୍ଥା ପକ୍ଷରୁ ପକ୍ଷ ବାଢ଼ିଥିଲେ। ସେ ଅଦାଲତ ନିକଟରେ ଯୁକ୍ତି ରଖିଥିଲେ ଯେ, ଯଦି କୌଣସି ବ୍ୟକ୍ତିଙ୍କୁ ଫିଲ୍ମକୁ ନେଇ ଆପତ୍ତି ରହିଛି ତେବେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ। ସାଲଭେ, ଫିଲ୍ମକୁ ରିଲିଜ କରିବା ପାଇଁ କେନ୍ଦ୍ର ସରକାର ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ବୋଲି କହିଥିଲେ।

ତେବେ ସୁପ୍ରିମକୋର୍ଟ ପ୍ରଯୋଜନା ସଂସ୍ଥା ପକ୍ଷରେ ଫଏସଲା ଶୁଣାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି- “ଆସନ୍ତା ୨୫ ତାରିଖରେ ଫିଲ୍ମ ପଦ୍ମାବତ୍ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ ହେବ। କୌଣସି ରାଜ୍ୟ ଫିଲ୍ମ ରିଲିଜ ଉପରେ କଟକଣା ଲଗାଇପାରିବ ନାହିଁ। ଏବଂ ରାଜ୍ୟରେ ଶୃଙ୍ଖଳା ବଜାୟ ରଖିବା ପାଇଁ ରାଜ୍ୟ ସରକାର ଆଇନର ସାହାଯ୍ୟ ନେଇପାରିବେ।”