ରିଲିଜ ଦିନ ମଧ୍ୟ ପଦ୍ମାବତ୍‌କୁ ବିରୋଧ: ରାଜସ୍ଥାନ ଉଦୟପୁର, ବିହାରର ମୁଜାଫରପୁରରେ ପୋଡ଼ାଜଳା

ନୂଆଦିଲ୍ଲୀ: ଶେଷରେ ରିଲିଜ୍ ହୋଇଛି ସଞ୍ଜୟ ଲୀଲା ଭନସାଲି ନିର୍ଦ୍ଦେଶିତ ବହୁ ପ୍ରତିକ୍ଷୀତ ବିବାଦୀୟ ବଲିଉଡ୍ ମୁଭି ପଦ୍ମାବତ୍ । ଓଡ଼ିଶାର ୮୦ଟି ହଲ୍ ସମେତ ସାରା ଦେଶରେ ଫିଲ୍ମ ରିଲିଜ୍ ହୋଇଛି। ତେବେ କରଣୀ ସେନାର ବିରୋଧକୁ ଦେଖି ବିଭିନ୍ନ ସ୍ଥାନରେ ଫିଲ୍ମ ରିଲିଜ୍‌କୁ ନିଜ ଆଡ଼ୁ ବନ୍ଦ କରିଛନ୍ତି ହଲ୍ ମାଲିକ । ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିଛି କରଣୀ ସେନା। ସେପଟେ ପରିସ୍ଥିତିକୁ ଦେଖି କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଛି ବିଭିନ୍ନ ସିନେମା ହଲ୍ ।

ରିଲିଜ ହେବା ଦିନ ମଧ୍ୟ ଫିଲ୍ମକୁ ବିରୋଧର ସମ୍ମୁଖୀନ ହେବାକୁ ପଡିଛି ରାଜସ୍ଥାନର ଜୟପୁରରେ। ଏଠାରେ ପ୍ରବଳ ଭଙ୍ଗାରୁଜା ହୋଇଛି।  ଚଣ୍ଡୀଗଡ଼, ଜୟପୁର, ଉଦୟପୁର, ଲକ୍ଷ୍ନୌ, ଋଷିକେଶ, ମେରଠ, ମୁଜାଫରପୁର୍ ପରି ସହରରେ ମଧ୍ୟ ଜୋରଦାର ବିକ୍ଷୋଭ ବାଇକ୍ ରାଲି ଦେଖିବାକୁ ମିଳିଛି। ରାଜପୁତ ସମାଜ ପକ୍ଷରୁ ମଧ୍ୟ ତରବାରୀ ଶୋଭାଯାତ୍ରା ବାହାରିଥିଲା।

ସେପଟେ ହଲରେ ଫିଲ୍ମ ପ୍ରଦର୍ଶନ ପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇ ନ ଥିବା ଅଭିଯୋଗରେ ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ହରିଆଣା ବିରୋଧରେ ଅଦାଲତ ଅବମାନନା ରୁଜୁ ହୋଇଛି  । ଆସନ୍ତା ସୋମବାର ଏହାର ଶୁଣାଣି ହେବ।