ଜାତିସଂଘରେ ପାକିସ୍ତାନର ଅସଲ ଚେହେରା ଖୋଲିଲା ଭାରତ

ମିଳିତ ଜାତିସଂଘ: ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନର ଅସଲ ଚେହାରର ପର୍ଦ୍ଦାଫାସ କରିଛି ଭାରତ। ପାକିସ୍ତାନ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ଘେରିବାକୁ ଚେଷ୍ଟା କରିଥିଲା। ହେଲେ ଭାରତ ପଡ଼ୋଶୀ ପାକିସ୍ତାନକୁ ଆତଙ୍କବାଦୀଙ୍କ ପେଣ୍ଠସ୍ଥଳ ବୋଲି ସମ୍ବୋଧନ କରି ଲୋକହସା କରିଛି। ଏଥିସହ ପାକିସ୍ତାନ ଜାତିସଂଘ ଭଳି ଏକ ପ୍ଲାଟଫର୍ମରେ କଶ୍ମୀର ପ୍ରସଙ୍ଗ ଉଠାଇ କେବଳ  ଅପପ୍ରଚାର କରିବାକୁ ଚେଷ୍ଟା କରୁଛି ବୋଲି ଭାରତ ପକ୍ଷରୁ କୁହାଯାଇଛି।

ଜାତିସଂଘରେ ଅବସ୍ଥାପିତ ପାକିସ୍ତାନ ପ୍ରତିନିଧି ମାହେଲା ଲୋଧି ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ପ୍ରଥମେ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ଏଥିସହ ଭାରତ ସରକାର ବେଆଇନ୍‌ ଭାବେ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିବା ସେ ଅଭିଯୋଗ କରିଥିଲେ।

ସେ କହିଥିଲେ, “ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଜାତିସଂଘ ଦ୍ୱାରା ପ୍ରଦତ୍ତ ସମସ୍ତ ପ୍ରକାରର ନୀତି ନିୟମକୁ ଉଲ୍ଲଙ୍ଘନ କରିଛନ୍ତି। ତେଣୁ ଜାତିସଂଘ ସୁରକ୍ଷା ପରିଷଦ ଅଗଷ୍ଟ ୫ରୁ ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା କଟକଣା ପ୍ରତ୍ୟାହାର କରିବାକୁ ଭାରତ ସରକାରଙ୍କୁ କୁହନ୍ତୁ। ଏଥିସହ ଯୋଗାଯୋଗ ବ୍ଲାକଆଉଟ୍‌କୁ ହଟାଇବା ଓ କଶ୍ମୀର ନେତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। କଟକଣା ଜାରି କରି ଭାରତୀୟ ସୁରକ୍ଷାକର୍ମୀ ସେଠାରେ ମାନବାଧିକାର ଉଲ୍ଲଙ୍ଘନ କରୁଛନ୍ତି।”

ଜାତିସଂଘରେ ଅବସ୍ଥାପିତ ଭାରତର ପ୍ରତିନିଧି ସନ୍ଦୀପ କୁମାର ବାୟାପୁ ଏହାର ଜବାବ ଦେଇଥିଲେ। ସେ କହିଥିଲେ, “ମୋ ଦେଶ ବିରୋଧରେ ପୁଣିଥରେ ଜାତିସଂଘ ଭଳି ପ୍ଲାଟଫର୍ମରେ ଅପପ୍ରଚାର କରାଯାଉଛି। ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ଆସିଥିଲା। ହେଲେ ଏହାକୁ କେହି ବି ଗ୍ରହଣ କରି ନଥିଲେ। ବର୍ତ୍ତମାନ ମଧ୍ୟ ସମାନଦଶା ଭୋଗିବାକୁ ପଡ଼ିବ।

ଯେଉଁ ଦେଶ ଆତଙ୍କବାଦୀଙ୍କ ପେଣ୍ଠସ୍ଥଳୀ ପାଲଟିଛି, ଉକ୍ତ ଦେଶ ଅନ୍ୟକୁ ମାନବାଧିକାରର ପାଠ ପଢ଼ାଉଛି। ଆତଙ୍କବାଦୀଙ୍କ ଯୋଗୁ ନିରୀହ ଲୋକ ପ୍ରାଣ ହରାଉଛନ୍ତି। କେବଳ ଆମ ଦେଶରେ ଆତଙ୍କବାଦୀମାନେ ନିରୀହ ଲୋକଙ୍କୁ ହତ୍ୟା କରୁନାହାନ୍ତି, ବରଂ ଅନ୍ୟ ଦେଶ ଗୁଡ଼ିକରେ ମଧ୍ୟ ଆତଙ୍କବାଦକୁ ବଢ଼ାଇବାରେ ଲାଗିଛନ୍ତି। ଆମେ ଏଭଳି ଭିତ୍ତିହୀନ ମତ ଉପରେ କୌଣସି ପ୍ରତିକ୍ରିୟା ଦେଇ, ଏହାର ଗୁରୁତ୍ୱ ବଢ଼ାଇବାକୁ ଚାହୁଁନାହୁଁ।”