ଏମିତି ବେଶରେ ଆସି ଦୁଇ ଯବାନଙ୍କ ମୁଣ୍ଡ ନେଇଗଲା ପାକ୍‌: ସୁରାକ୍‌ ପାଇଲାନି ଭାରତୀୟ ସେନା

ଶ୍ରୀନଗର:ଗତ ସୋମବାର ସୀମାରେ ପାକ୍ ସେନା ଦୁଇ ଭାରତୟ ଯବାନଙ୍କୁ ଗୁଳି କରି ଅତି ନୃଶଂସଭାବେ ହତ୍ୟା କରିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାକୁ  ନେଇ ଉଭୟ ଦେଶ ମୁହାମୁହିଁ ହୋଇଛନ୍ତି। ବିବାଦ ଉଗ୍ର ରୂପ ଧାରଣ କରୁଥିବା ବେଳେ ପାକିସ୍ତାନ ଅଭିଯୋଗକୁ ଖଣ୍ଡନ କରିଚାଲିଛି। ଏବେ ପ୍ରଶ୍ନ ଉଠୁଛି ଭାରତୀୟ ସେନା ପାଖରେ  ଶତ୍ରୁଙ୍କୁ ଚିହ୍ନଟ ପାଇଁ ଏତେ ଆଧୁନିକ ଉପକରଣ ଥିଲେ ମଧ୍ୟ ପାକିସ୍ତାନ ସେନା କିଭଳି ଚକ୍‌ମା ଦେଇ ସୀମା ପାର ହୋଇଗଲେ? ପାକ୍‌ ସେନା ଅନୁପ୍ରେବେଶ ବେଳେ କାହିଁକି ଜାଣିପାରିଲାନି ଭାରତୀୟ ସେନା।

ସୀମାରେ ଅନୁପ୍ରବେଶକୁ ଜଗିବା ପାଇଁ ଭାରତୀୟ ସେନା ପାଖରେ   ହ୍ୟାଣ୍ଡ ହେଲଡ୍‌  ଥର୍ମାଲ ଇମେଜର (ଏଚ ଏଚ୍ ଟିଆଇ ଟିଆଇ) ଭଳି ଅତ୍ୟାଧୁନିକ ନାଇଟ୍‌ ଭିଜନ ରହିଛି । ହେଲେ ସେଦିନ ଏହି  ଏଚଏଚ୍‌ଟିଆଇଟିଆଇ ଶତ୍ରୁଙ୍କୁ ଚିହ୍ନିବାରେ ଫେଲ ମାରିଲା।  ଘଟଣା ଦିନ ବୋର୍ଡ଼ର ଆକ୍ସନ ଟିମ୍‌ର ୪ରୁ ୫ ଜଣ ଭାରତ ସୀମାକୁ ୨୫୦ ମିଟର ପଶିଆସିଥିବା ଏବେ ଜଣାପଡ଼ିଛି। କୁହାଯାଉଛି ପାକ୍ ସେନା ପକ୍ଷରୁ ଅତି ଚତୁରତାର ସହ ରଣନୀତି ପ୍ରସ୍ତୁତ କରାଯାଇଥିଲା।

କ୍ରୀଷ୍ଣାଘାଟିରେ ପାକ୍‌ ସେନା ପକ୍ଷରୁ ପ୍ରଥମେ ଗୁଳି ମାଡ଼ ପରେ ମୋର୍ଟାର ମାଡ଼ କରାଯାଇ ଥିଲା। ମୋର୍ଟାର ମାଡ଼ ଯୋଗୁ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଏହି ସୁଯୋଗରେ ପାକ୍ ସେନା ବେଶ ବଦଳାଇ ଭିତରକୁ ପଶିଆସିଥିବା ଚର୍ଚ୍ଚା ହେଉଛି। ସେମାନେ ଯେଉଁ ପୋଷାକ ପିନ୍ଧିଥିଲେ ତାହା ଜଙ୍ଗଲୀଗଛଲତା ସହ ମିଶି ଯାଉଥିଲା। ସବୁଜ ରଙ୍ଗରେ ତିଆରି ହୋଇଥିବା ଡ୍ରେସ୍‌ଟି ଅତି କୁଞ୍ଚୁ କୁଞ୍ଚିଆ ହୋଥିବାରୁ ଗଛଲତାର ଭ୍ରମ ସୃଷ୍ଟି କରିଥିଲା।  ଯାହାକୁ ଚିହ୍ନଟ କରିବା କଷ୍ଟକର ହୋଇଥିଲା।  ଯେଉଁ କାରଣରୁ ଯବାନଙ୍କ ହତ୍ୟା ସମ୍ପର୍କରେ ଟେର୍‌ ପାଇ ନ ଥିଲା ସେନା।