ଆତଙ୍କୀ ସଂଗଠନ ପାଇଁ ଟଙ୍କା ଖର୍ଚ୍ଚ କରୁଛି ପାକ୍‌ ସରକାର!

ଇସଲାମାବାଦ: ସର୍ବସମ୍ମୁଖରେ ପୁଣିଥରେ ପାକିସ୍ତାନକୁ ଲୋକହସା କରିଛନ୍ତି ଖୋଦ୍‌ ନିଜ ଦେଶର ମନ୍ତ୍ରୀ। ଜାତୀୟ ଗଣମାଧ୍ୟମରେ ଆଭ୍ୟନ୍ତରୀଣ ମନ୍ତ୍ରୀ ବ୍ରିଗେଡିୟର ଇଜାଜ ଅହମ୍ମଦ ଶାହ ପାକିସ୍ତାନର ଅସଲ ମୁଖା ଖୋଲି ଦେଇଛନ୍ତି। ପାକିସ୍ତାନ ସରକାର କୋଟି କୋଟି ଟଙ୍କା ଆତଙ୍କବାଦୀ ସଂଗଠନ ଜାମାତ-ଉଦ୍‌ ଦାୱା ବା ଜେୟୁଡି ପାଇଁ ଖର୍ଚ୍ଚ କରୁଥିବା ସେ ଆଜି ସ୍ୱୀକାର କରିଛନ୍ତି।

ଏକ ଟକ୍‌ ଶୋ’ରେ ଯୋଗଦେଇ ଇଜାଜ କହିଛନ୍ତି, “ଆମେ ଜେୟୁଡି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। ଆମକୁ ବିଦ୍ରୋହୀ ଗୋଷ୍ଠୀଙ୍କୁ ପ୍ରଥମେ ଦିଗଭ୍ରଷ୍ଟ କରାଇବାକୁ ପଡ଼ିବ। ସେମାନଙ୍କୁ ମୁଖସ୍ରୋତରେ ସାମିଲ କରିବା ପାଇଁ ମଧ୍ୟ ପ୍ରୟାସ କରାଯିବା ଉଚିତ। ନ ହେଲେ ପାକିସ୍ତାନର ଛବି କେବେ ହେଲେ ବିଶ୍ୱ ଦରବାରରେ ସୁଧୁରିବ ନାହିଁ।”

ଏହାପୂର୍ବରୁ ଖୋଦ୍‌ ପାକିସ୍ତାନ ୱାଜିର-ଏ-ଆଜମ ଇମ୍ରାନ୍‌ ଖାନ୍‌ ଇସ୍‌ଲାମାବାଦରେ ୩୦ରୁ ୪୦ ହଜାର ଆତଙ୍କବାଦୀ ରହିଥିବା ସ୍ୱୀକାର କରିଥିଲେ। ଏହି ଆତଙ୍କବାଦୀମାନେ ଆଫଗାନିସ୍ତାନ ଓ କଶ୍ମୀରରେ ଲଢ଼େଇ କରୁଛନ୍ତି ବୋଲି ଇମ୍ରାନ୍ କହିଥିଲେ।

ପାକିସ୍ତାନ ଆତଙ୍କୀଙ୍କ ଭୂସ୍ୱର୍ଗ ପାଲଟିଥିବାରୁ ପ୍ୟାରିସ୍‌ ସ୍ଥିତ ଏଫ୍‌ଏଟିଏଫ୍‌ ଇସ୍‌ଲାମାବାଦ ଉପରେ ତୀକ୍ଷ୍ଣ ନଜର ରଖିଛି। ଏପରି ସ୍ଥିତିରେ ପାକିସ୍ତାନ ମନ୍ତ୍ରୀଙ୍କ ଏଭଳି ବୟାନ ଇମ୍ରାନ୍‌ ସରକାରଙ୍କ ଚିନ୍ତାକୁ ଦୁଇଗୁଣ କରିଛି।