ହିନ୍ଦୁ ଯବାନ-ମୁସଲିମ୍‌ ପୁଲିସ୍‌ ମଧ୍ୟରେ ହିଂସାର ଗୁଜବକୁ ଖଣ୍ଡନ କଲା ସିଆରପିଏଫ୍‌

ନୂଆଦିଲ୍ଲୀ: ଜଣେ ମୁସଲିମ୍‌ ପୁଲିସ୍‌ ଅଧିକାରୀ ଓ ସିଆରପିଏଫ୍‌ ଯବାନଙ୍କ ମଧ୍ୟରେ ବିବାଦ ହୋଇଥିବା ଏବଂ ପରେ ଗୁଳି ଚାଲିଥିବା ଭଳି ଅଭିଯୋଗକୁ ସିଆରପିଏଫ୍‌ ଏବଂ ଜମ୍ମୁ-କଶ୍ମୀର ପୁଲିସ୍‌ ପକ୍ଷରୁ ଖଣ୍ଡନ କରାଯାଇଛି। ଆଜି ଡବ୍ଲୁଏସ୍‌କେ ନାମକ ଏକ ଟ୍ୱିଟର ହ୍ୟାଣ୍ଡଲରୁ ହୋଇଥିବା ଟ୍ୱିଟ୍‌ରେ କୁହାଯାଇଥିଲା, ଜଣେ ମୁସଲିମ୍‌ କଶ୍ମିରୀ ପୁଲିସ୍‌ ୫ ଜଣ ସିଆରପିଏଫ୍‌ ଯବାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଜଣେ ଗର୍ଭବତୀ ମହିଳାଙ୍କ ପାଖରେ କର୍ଫ୍ୟୁ ପାସ୍‌ ନଥିବାରୁ ସେମାନେ ବାଟ ଛାଡ଼ୁନଥିବା କଥା ଏଥିରେ ଲେଖାଥିଲା। ପରେ ଟ୍ୱିଟ କରିଥିବା ‘ଡବ୍ଲୁଏସ୍‌କେ’ ଜଣେ ପାକିସ୍ତାନୀ ସାମ୍ବାଦିକ ବୋଲି ଜଣାପଡ଼ିଥିବା ଏହି ବ୍ୟକ୍ତି ଲେଖିଥିଲେ ଏହିଁ ଘଟଣା ପରଠାରୁ କୁଆଡ଼େ କଶ୍ମୀରରେ ପରିସ୍ଥିତି ସଙ୍ଗିନ ରହିଛି।

ଏହାପରେ ଉଭୟ ସିଆରପିଏଫ୍‌ ଏବଂ ଜମ୍ମୁ-କଶ୍ମୀର ପୁଲିସ୍‌ ଏହାକୁ ଖଣ୍ଡନ କରିଛନ୍ତି। ସିଆରପିଏଫ୍‌ ପକ୍ଷରୁ କୁହାଯାଇଛି ଏହି ହିଂସାମୂଳକ ଟ୍ୱିଟ୍‌ର ତଥ୍ୟ ସମ୍ପୂର୍ଣ୍ଣ ମିଥା ଏବଂ ଭିତ୍ତିହୀନ। ଦେଶର ସମସ୍ତ ସୁରକ୍ଷା ବାହିନୀ ସମନ୍ୱୟ ରକ୍ଷା କରି କାମ କରୁଛନ୍ତି। ଦେଶଭକ୍ତି ଏବଂ ତ୍ରିରଙ୍ଗା ଆମ ସମସ୍ତଙ୍କ ହୃଦୟରେ ସ୍ଥାନ ପାଇଛି, ଆମର କେବଳ ୟୁନିଫର୍ମର ରଙ୍ଗ ବଦଳିଥାଏ।


ଜମ୍ମୁ-କଶ୍ମୀର ପୁଲିସ୍‌ ଅଧିକାରୀ ଇମ୍‌ତିୟାଜ୍‌ ହୁସେନ୍‌ କହିଛନ୍ତି, “ସେମାନେ କେଉଁ ନିଶା ଖାଉଛନ୍ତି ଓ କେଉଁ କାଳ୍ପନିକ ଦୁନିଆରେ ବୁଲୁଛନ୍ତି? ଯଦି ଗୋଟିଏ ଟ୍ୱିଟର ଭେରିଫାଇଡ୍‌ ଆକାଉଣ୍ଟ ଏମିତି ତଥ୍ୟ ରଖୁଛି, ଭାବନ୍ତୁ ପାକିସ୍ତାନର ଅନ୍ୟ ସବୁ ଫେକ୍‌ ଆଇଡି କ’ଣ କ’ଣ ଲେଖୁନଥିବେ।”