ସର୍ଜିକାଲ୍ ଷ୍ଟ୍ରାଇକ୍ ପରେ ବି ସୁଧୁରିନି ପାକିସ୍ତାନ୍: ଆକ୍ରମଣ ପାଇଁ ପ୍ରସ୍ତୁତ କରୁଛି ବ୍ଳୁ ପ୍ରିଣ୍ଟ

ନୁଆଦିଲ୍ଲୀ: ଗତ ସେପ୍ଟେମ୍ୱର ମାସରେ ପାକିସ୍ତାନର ପିଓକେ ଅଞ୍ଚଳରେ ଭାରତୀୟ ସେନା କରିଥିଲା ସର୍ଜିକାଲ୍ ଷ୍ଟ୍ରାଇକ। ଭାରତୀୟ ସେନା ପାକିସ୍ତାନରେ ପଶି ପାଖାପାଖି ୪୦ରୁ ୫୦ଆତଙ୍କବାଦୀଙ୍କୁ ମାରିଥିଲା। ସେତେବେଳେ ବହୁତ ଚର୍ଚ୍ଚା ମଧ୍ୟ ହୋଇଥିଲା ଏହି ଘଟଣାକୁ ନେଇ। ଏହି ଘାର ଦରଜ ଏ ଯାଏଁ ପ୍ରଶମିତ ହୋଇ ନଥିଲେ ମଧ୍ୟ ପାକିସ୍ତାନ ପୁଣି ଆରମ୍ଭ କରିଛି ତାର ପୁରୁଣା ନଖରାମୀ।

ସର୍ଜିକାଲ ଷ୍ଟ୍ରାଇକ୍‌କୁ ୭ ମାସ ବିତିଯାଇଛି। କିନ୍ତୁ ଏ ଯାଏଁ ସର୍ମ୍ପକ ଦୃଢ ହୋଇ ପାରିନାହିଁ ଭାରତ ଓ ପାକିସ୍ତାନ ମଧ୍ୟରେ। ପାକିସ୍ତାନ ତାର ପୁରୁଣା ଅଭ୍ୟାସକୁ ପୁଣି ଦୋହରାଇଛି। ଗୁଇନ୍ଦା ସୂଚନା ଅନୁଯାୟୀ LOC  ପାର୍ ଅଞ୍ଚଳରେ ପାକିସ୍ତାନ ଆତଙ୍କବାଦୀମାନେ ପାଖାପାଖି ୫୫ଟି ଆତଙ୍କୀ ଟ୍ରେନିଂ କ୍ୟାମ୍ପ ସହ ୨୦ରୁ ୩୦ଟି ଲଞ୍ଚପ୍ୟାଡ ତିଆରି କରୁଛନ୍ତି। ଭାରତୀୟ ସେନାର ରାଡ଼ାରରେ ନ ଆସିବା ପାଇଁ କ୍ୟାମ୍ପର ଅବସ୍ଥିତି ମଧ୍ୟ ଲୁଚାଇଛନ୍ତି। ଏହି ଟ୍ରେନିଂ କ୍ୟାମ୍ପରୁ ହିଁ ଭାରତକୁ ଆତଙ୍କବାଦୀଙ୍କୁ ପଠାଯାଇ ଜମ୍ମୁ ଓ କଶ୍ମୀରରେ ଆକ୍ରମଣ  କରାଯାଉଛି। ଭାରତର ଦୁଇ ଯବାନ ନାଏବ ସୁବେଦାର ପରମଜିତ ସିଂ ଓ ହେଡ଼ କନେଷ୍ଟବଳ ପ୍ରେମ ସାଗରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଭାରତୀୟ ସେନା ସଜାଗ ହୋଇ ଉଠିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ତରଫରୁ ମଧ୍ୟ ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉପରେ ତୀଷ୍ନ ନଜର ରଖାଯାଇଛି।