ପାକ୍ ସହିତ ଏନଏସଏ ସ୍ତରୀୟ ବୈଠକ ଧୋକାବାଜୀ: କଂଗ୍ରେସ

ନୂଆଦିଲ୍ଲୀ: ରବିବାର ବ୍ୟାଙ୍କକରେ ଅନୁଷ୍ଠିତ ଭାରତ ଓ ପାକିସ୍ତାନ ଜାତୀୟ ସୁରକ୍ଷା ପରାମର୍ଶଦାତା ସ୍ତରୀୟ (ଏନଏସଏ) ବୈଠକକୁ କଂଗ୍ରେସ ସମାଲୋଚନା କରିଛି। ପାକିସ୍ତାନ ସହିତ ଏହି ବୈଠକ କରି ମୋଦି ସରକାର ଦେଶବାସୀଙ୍କ ସହିତ ଧୋକାବାଜୀ କରିଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି। କଂଗ୍ରେସ ନେତା ମନୀଷ ତିୱାରୀ କହିଛନ୍ତି ଯେ ପାକିସ୍ତାନ ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା ସ୍ତରୀୟ ବୈଠକ ଦେଶ ପ୍ରତି ସରକାରଙ୍କର ସବୁଠୁ ବଡ଼ ଧୋକା। ୨୦୧୫ ସେପ୍ଟେମ୍ବରରୁ ୨୦୧୫ ଡିସେମ୍ବର ମଧ୍ୟ ଏମିତି କ’ଣ ଘଟିଗଲା ଯେ ପାକିସ୍ତାନ ସହିତ ମୋଦି ସରକାର ପୁଣି ଥରେ ଏନଏସଏ ସ୍ତରୀୟ  ଆଲୋଚନା ଆରମ୍ଭ କରି ଦେଲେ। ତାହା ପୁଣି ଅନ୍ୟ ଏକ ଦେଶରେ।

କଂଗ୍ରେସ ନେତା ରଣଦୀପ ସୁରଜୱାଲା କହିଛନ୍ତି ଯେ ଏହି ଆଲୋଚନା ପାଇଁ ମୋଦି ସରକାର ସଂସଦକୁ ବି ଭରସାକୁ ନେଲେ ନାହିଁ। ୨୦୧୪ ମେ’ ପରେ ମୋଡ଼ ବଦଳିଛି। ସଦ୍ୟ ଭାରତ-ପାକ୍ ଏନଏସଏ ସ୍ତରୀୟ ଆଲୋଚନା ଉପରେ ନା କୌଣସି ଭରସା ଜମିଛି ନା ସମ୍ଭାବନା ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ଭେଙ୍କେୟା ନାଇଡୁ କହିଛନ୍ତି ଯେ ଏବେ ସଂସଦର ଶୀତ ଅଧିବେଶନ ଚାଲିଛି। ସଂସଦ ଶେଷ ହେବା ପରେ ବିଦେଶ ମନ୍ତ୍ରଣାଳୟ ଏନେଇ ଜବାବ ରଖିବ। ତେବେ ମହାଧୋକା ଅଭିଯୋଗକୁ ସେ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଏଭଳି ପ୍ରସଙ୍ଗଗୁଡ଼ିକର ମୁକାବିଲା କିପରି କରାଯାଏ, ତାହାର ଅନୁଭବ କଂଗ୍ରେସର ଯଥେଷ୍ଟ ରହିଛି। କଂଗ୍ରେସ ନେତାଏ ଏପ୍ରସଙ୍ଗରେ ରାଜନୈତିକ ବୟାନବାଜୀ କରିବା ଉଚିତ୍ ନୁହେଁ।

ସୂଚନାଯୋଗ୍ୟ, ଗତକାଲି ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ତାଙ୍କର ପାକିସ୍ତାନ ପ୍ରତିପକ୍ଷ ନାସିର୍ ଜାଞ୍ଜୁଆଙ୍କ ମଧ୍ୟରେ ବ୍ୟାଙ୍କକରେ ସାଢେ଼ ଚାରିଘଣ୍ଟା ଧରି ଆଲୋଚନା ହୋଇଥିଲା। ଏଥିରେ ଉଭୟ ଦେଶର ବୈଦେଶିକ ସଚିବ ମଧ୍ୟ ଯୋଗ ଦେଇଥିଲେ। ଜାତୀୟ ସୁରକ୍ଷା, ଆତଙ୍କବାଦ ମୁକାବିଲା, ଜାମ୍ମୁ-କାଶ୍ମୀର ତଥା ଏଲ୍ଓସି ପ୍ରସଙ୍ଗ ଆଦି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଉଭୟ ଦେଶ ମଧ୍ୟରେ ଥିବା ବିଭିନ୍ନ ସମାସ୍ୟାର ସମାଧାନ ଦିଗରେ ଗଠନମୂଳକ ପଦକ୍ଷେପ ନିଆଯିବା ଉପରେ ଏଥିରେ ନିଷ୍ପତ୍ତି ହୋଇଥିଲା।