ଦେଶ ଚଳାଇବା ପାଇଁ ଅର୍ଥ ନାହିଁ; ଟିକସ ଫାଙ୍କୁ ଥିବା ଲୋକଙ୍କୁ ପାକ୍ ପ୍ରଧାନମନ୍ତ୍ରୀ ଦେଲେ ଚେତାବନୀ

ଇସଲାମାବାଦ: ଋଣରେ ବୁଡ଼ିଛି ପାକିସ୍ତାନ। ଦେଶ ଚଳାଇବା ପାଇଁ ନାହିଁ ଆବଶ୍ୟକ ଟଙ୍କା। ଗତକାଲି ପାକିସ୍ତାନ ସରକାର ସଂସଦରେ ବଜେଟ ଉପସ୍ଥାପନ କରିବା ବେଳେ ଏହା ଜଣାପଡ଼ିଛି। ବଜେଟ ଉପସ୍ଥାପନ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଏବେ ପାକିସ୍ତାନରେ ଚର୍ଚ୍ଚାର ବିଷୟ ପାଲଟିଛି।

ସେ କହିଛନ୍ତି ଦେଶ ଚଳାଇବା ପାଇଁ ଆବଶ୍ୟକ ଟଙ୍କା ନାହିଁ। ଯାହା ବି ଟିକସ ସଂଗ୍ରହ ହେଉଛି, ସେଥିରୁ ଅଧା କରଜ ସୁଝିବାରେ ଯାଉଛି। ତେଣୁ ସମସ୍ତେ ଜୁନ ୩୦ ପୂର୍ବରୁ ଟିକସ ପଇଠ କରନ୍ତୁ ବୋଲି ସେ ପାକିସ୍ତାନବାସୀଙ୍କୁ ଅପିଲ୍ କରିଛନ୍ତି। ସରକାର ଘୋଷଣା କରିଥିବା ସମ୍ପତ୍ତି ଘୋଷଣା ଯୋଜନାରେ ସାମିଲ ହେବାକୁ ସେ ଆହ୍ୱାନ କରିଛନ୍ତି। ଏହି ସ୍କିମ୍ ଜରିଆରେ କଳା ଟଙ୍କାକୁ ଧଳା କରିବା ପାଇଁ ସେ ସମସ୍ତଙ୍କୁ ସୁଯୋଗ ଦେଇଛନ୍ତି।

ଯଦି ଟିକସ ଚୋରି କରିଥିବା ବ୍ୟକ୍ତି ଟିକସ ଜମା ନକରନ୍ତି ତାହାଲେ ପାକିସ୍ତାନ ସରକାର ସେମାନଙ୍କ ସମ୍ପତ୍ତି କୌଣସି ମୁହୂର୍ତ୍ତରେ ଜବତ କରିପାରନ୍ତି।

ସୂଚନାଯୋଗ୍ୟ ଯେ ବିଗତ ୧୦ ବର୍ଷ ମଧ୍ୟରେ ପାକିସ୍ତାନ ୬ ହଜାର ଅରବରୁ ବଢ଼ି ୩୦ ହଜାର ଅରବ ଟଙ୍କା ଋଣ କରିଛି। ପ୍ରତିବର୍ଷ ପାକିସ୍ତାନ ୪ ହଜାର ଅରବ ଟିକସ ସଂଗ୍ରହ କରୁଛି। ସେଥିରୁ ଅଧା ଋଣ ସୁଝିବାରେ ଯାଉଛି। ତେଣୁ ବଳକା ଟଙ୍କାରେ ଦେଶ ଚଳାଇବା କଷ୍ଟକର ହୋଇ ପଡ଼ୁଛି ଏବଂ ସାରା ବିଶ୍ବରେ ପାକିସ୍ତାନରେ ସବୁଠୁ କମ୍ ଟିକସ ସଂଗ୍ରହ ହେଉଥିବା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି।

ତେଣୁ ସମସ୍ତଙ୍କୁ ଟିକସ ଦେବାକୁ ଆହ୍ୱାନ କରିଛନ୍ତି। ଯଦି ଦେଶ ୧୦ ହଜାର ଅରବ ଟିକସ ସଂଗ୍ରହ କରିବ ତାହେଲେ ପାକିସ୍ତାନ ଆଗକୁ ଯିବ ବୋଲି ଇମ୍ରାନ କହିଛନ୍ତି।