ଶେଷରେ ମାନିଲା ପାକିସ୍ତାନ: କହିଲା ଆତଙ୍କବାଦୀ ସଙ୍ଗଠନକୁ ଆମେ ପାଳିଛୁ, ଚର୍ଚ୍ଚାରେ ମୋଦିଙ୍କ କୂଟନୀତି

ନୂଆଦିଲ୍ଲୀ: ଆତଙ୍କବାଦୀ ପ୍ରସଙ୍ଗକୁ ନେଇ ବିଶ୍ୱର ବିଭିନ୍ନ ମହଲରେ ସଣ୍ଡୁଆସୀ ଆକ୍ରମଣରେ ଶିକାର ହେବା ପରେ ପ୍ରଥମଥର ପାଇଁ ନିଜ ଭୁଲକୁ ମାନିଛି ପାକିସ୍ତାନ । ଲସ୍କର-ଇ-ତୋଇବା ଏବଂ ଜୈସ-ଇ-ମହମ୍ମଦ ଭଳି କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ନିଜ ମାଟିରେ ଜନ୍ମ ନେଇଥିବା ପାକିସ୍ତାନ ସ୍ୱୀକାର କରିଛି। ଖାଲି ସେତକ ନୁହଁ ସଙ୍ଗଠନର ଯାବତୀୟ ହିଂସାତ୍ମକ କାର୍ଯ୍ୟକଳାପ ପାକିସ୍ତାନରୁ ହିଁ ପରିଚାଳିତ ହେଉଥିବା ମାନିଛି।

ଏ ଦୁଇଟି ସଙ୍ଗଠନ ବିରୋଧରେ ଏଣିକି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଖୱାଜ୍‌ ମହମ୍ମସ ଆସିଫ କହିଛନ୍ତି।  ସେହିପରି  ଏହି ଦୁଇଟି ସଙ୍ଗଠନର କାର୍ଯ୍ୟକଳାପ ଉପରେ ରୋକ୍‌ ଲଗାଯିବ ବୋଲି ସେ କହିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଜିଉ ଟିଭିକୁ ସାକ୍ଷାତକାର ଦେଇ ଆସିଫ କହିଛନ୍ତି ଯେ, ଆତଙ୍କବାଦ ପ୍ରସଙ୍ଗକୁ ନେଇ ଅନ୍ତର୍ଜାତୀୟସ୍ତରରେ ପାକିସ୍ତାନର ଛବି ମଳିନ ପଡ଼ିଛି। ତେଣୁ  ଆମର ଘର ସଜାଡ଼ିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଯାହାକି ବିଶ୍ୱବାସୀଙ୍କ ମନରେ ଆମ ଦେଶକୁ ନେଇ ଯେଉଁ ମନ୍ଦଧାରଣା ରହିଛି ତାହା ବଦଳିପାରିବ। ଏଥିପାଇଁ ଆତଙ୍କବାଦୀ ସଙ୍ଗଠନ ଉପରେ ରୋକ୍‌ ଲଗାଇବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଏହା ତାଙ୍କର କୌଣସି ରାଜନୈତିକ ମତ ନୁହଁ ବରଂ ଆତଙ୍କବାଦ ବିରୋଧରେ କଡ଼ା ଆଭିମୁଖ୍ୟ ବୋଲି ସେ କହିଛନ୍ତି। ଅତୀତରେ ପାକିସ୍ତାନ ଅନେକ ଭୁଲ କରିଛି ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଜିଆ ଉଲ୍‌ ହକ ସମୟରେ ଆଫଗାନିସ୍ଥାନ ପାଇଁ ପ୍ରତିନିଧିତ୍ୱ କରି ସୋଭିଏତ ଯୁଦ୍ଧରେ ସାମିଲ ହେବା ସବୁଠାରୁ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି। ଯେଉଁ କାରଣରୁ ପାକିସ୍ତାନର ଅନେକ କିଛି କ୍ଷତି ଘଟିଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ନିକଟରେ ଚୀନ୍‌ରେ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ ପ୍ରସଙ୍ଗ ଉଠିଥିବା ବେଳେ ପାକିସ୍ତାନକୁ କଡ଼ାନିନ୍ଦା କରାଯାଇଥିଲା।  ଏପରିକି ବ୍ରିକ୍ସ ସମୂହ ଦେଶ ପକ୍ଷରୁ ଏକ ଘୋଷଣାନାମା ଜାରି କରାଯାଇଥିଲା ।

ଯେଉଁଥିରେ ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଙ୍ଗଠନ ଗୁଡ଼ିକର ନାମ  ଉଲ୍ଲେଖ ଥିଲା। ଜୈସ-ଇ-ମହମ୍ମଦ ଓ ଲସ୍କର-ଇ-ତୋଏବା ଏବଂ ହକାନୀ ନେଟୱର୍କ ଭଳି କୁଖ୍ୟାତ ସଙ୍ଗଠନ ଗୁଡ଼ିକର ନାମ ଉଲ୍ଲେଖ ଥିଲା।  ଏହି ସଙ୍ଗଠନ ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ସହମତି ହୋଇଥିଲା।  ଆତଙ୍କବାଦ ପ୍ରସଙ୍ଗ ନ ଉଠାଇବାକୁ ଚୀନର ଦାବି ସତ୍ତ୍ୱେ ସମ୍ମିଳନୀରେ ଏହା ଉପରେ ଆଲୋଚନା ହୋଇଥିଲା। ଆଉ ଏ ସବୁ ପଛରେ ମୋଦିଙ୍କ କୂଟନୀତି ଥିଲା ବୋଲି କୁହାଯାଉଛି। ଯାହା ସଫଳ ମଧ୍ୟ ହୋଇଥିଲା। ଆଉ ବ୍ରିକ୍ସ ସମ୍ମିଳନୀ ଏହି ମତପୋଷଣ ପରେ ପାକିସ୍ତାନ ପକ୍ଷରୁ ଉପରୋକ୍ତ ପ୍ରତିକ୍ରୀୟା ଆସିଛି।

ଫଟୋ: ଜମ୍ମୁ କାଶ୍ମୀରର ଉରି ଆକ୍ରମଣ ସମୟର ଦୃଶ୍ୟ