ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ: ଟାଗେର୍ଟରେ ବିଏସ୍‌ଏଫ୍‌ ଛାଉଣୀ

ଜମ୍ମୁ: ଜମ୍ମୁର ଅରନିଆ ସେକ୍ଟରରେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ବିଏସ୍‌ଏଫ୍‌ର ଛଅରୁ ଅଧିକ ଛାଉଣିକୁ ପାକିସ୍ତାନୀ ଯବାନ ଟାର୍ଗେଟ କରିଥିଲେ। ଭାରତୀୟ ଯବାନମାନେ ବି ଏହାର କଡ଼ା ଜବାବ ଦେଇଥିଲେ। ଫଳରେ ଦୁଇ ପକ୍ଷ ମଧ୍ୟରେ ପ୍ରବଳ ଗୁଳିବିନିମୟ ହୋଇଥିଲା। ଗତକାଲି ବିଳମ୍ୱିତ ରାତିରୁ ଆରମ୍ଭ ହୋଇଥିବା ଏହି ଗୁଳିବିନିମୟ ଆଜି ସକାଳ ସାଢ଼େ ଛଅଟା ପର୍ଯ୍ୟନ୍ତ ଚାଲିଥିଲା। ପ୍ରାୟ ୬ ଘଣ୍ଟା ଧରି ଚାଲିଥିବା ଏହି ଗୁଳିବିନିମୟରେ କେହି ମୃତାହତ ହୋଇନାହାନ୍ତି ବୋଲି ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ଜମ୍ମୁ-କାଶ୍ମୀର ସୀମାରେ  ହୋଇଥିବା ଗୁଳି ବିନିମୟରେ ୨ ଜଣ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ଘଟିଥିଲା।  ଏହା ପୂର୍ବରୁ ବୁଧବାର ଅନ୍ତର୍ଜାତୀୟ ସୀମା ଓ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ପକ୍ଷରୁ ଅକାରଣରେ ଗୁଳିମାଡ଼ କରାଯାଇଥିଲା। ଏଥିରେ ତିନି ଜଣ ଭାରତୀୟ ଯବାନ ଆହତ ହୋଇଥିଲେ।