କୁଲଭୂଷଣଙ୍କୁ ଭାରତୀୟ ଦୂତାବାସ ସହାୟତା ଦେବ

ଇସ୍‌ଲାମାବାଦ: ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ ପାକିସ୍ତାନରେ ବନ୍ଦୀ ଥିବା କୁଲଭୂଷଣ ଯାଦବଙ୍କ ମାମଲାରେ ରାୟ ପ୍ରକାଶ କରିବା ପରେ ନିଜ ଭୁଲ୍ ସୁଧାରିଛି ପାକିସ୍ତାନ। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଆଜି କହିଛି ଯେ କୁଲଭୂଷଣଙ୍କୁ ତାଙ୍କ ଦେଶର ନିୟମ ମୁତାବକ ଦୂତାବାସ ସହାୟତା ଯୋଗାଇ ଦିଆଯିବ। କୁଲଭୂଷଣଙ୍କୁ ଦୂତାବାସ ସହାୟତା ଯୋଗାଇବାକୁ ଭାରତ ଦୀର୍ଘଦିନ ଧରି ଦାବି କରିଆସୁଥିଲା। କିନ୍ତୁ ପାକିସ୍ତାନ ଏହାକୁ ପ୍ରତ୍ୟାଖ୍ୟାନ କରି ଆସୁଥିଲା।

କୁଳଭୂଷଣ ଜଣେ ଭାରତୀୟ ନାଗରିକ। ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ପାକିସ୍ତାନ ଆଣିଛି ତାହା ପ୍ରମାଣିତ ହୋଇପାରିନି। ତେଣୁ ଭାରତୀୟ ଦୂତାବାସ କୁଲଭୂଷଣଙ୍କୁ ସହଯୋଗ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଆଇସିଜେ ସ୍ୱଷ୍ଟ କରିଛି। ଆଇସିଜେ ଏକଥା ସ୍ପଷ୍ଟ କରିବା ପରେ କୁଲଭୂଷଣଙ୍କ ମୁକ୍ତି ନେଇ ନୂଆ ଆଶାର ସଂଚାର ହୋଇଛି।

୪୯ ବର୍ଷ ବୟସ୍କ କୁଲଭୂଷଣଙ୍କୁ ୨୦୧୬ ମସିହା ମାର୍ଚ୍ଚରେ ପାକିସ୍ତାନ ଗିରଫ କରିଥିଲା। ସେ ଗୁଇନ୍ଦାଗିରି କରୁଥିବା ପାକିସ୍ତାନ ଅଭିଯୋଗ ଆଣିଥିଲେ ହେଁ ଭାରତ ଏହାକୁ ଖଣ୍ଡନ କରିଆସୁଛି। ସେ ଇରାନ୍‌ପଟୁ ପାକିସ୍ତାନରେ ପ୍ରବେଶ କରିଥିଲେ ଏବଂ ତାଙ୍କୁ ବଲୁଚିସ୍ତାନରୁ ଗିରଫ କରାଯାଇଥିଲା ବୋଲି ପାକିସ୍ତାନ ଦାବି କରିଆସୁଛି। ଏହାର ଏକ ବର୍ଷ ପରେ ପାକିସ୍ତାନର ଏକ ସାମରିକ କୋର୍ଟ ତାଙ୍କୁ ଫାଶୀଦଣ୍ଡ ଦେଇଥିଲା। ଏହାକୁ ନେଇ ସମଗ୍ର ଭାରତରେ ଆଲୋଡ଼ନ ସୃଷ୍ଟି ହୋଇଥିଲା ଏବଂ ନ୍ୟାୟ ପାଇଁ ପାକିସ୍ତାନ ବିରୋଧରେ ଭାରତ ଆଇସିଜେଙ୍କ ଦ୍ୱାରସ୍ଥ ହୋଇଥିଲା।