ପାକିସ୍ତାନର ବଚ୍ଚା ଖାନ୍ ବିଶ୍ୱବିଦ୍ୟାଳୟରେ ଆତଙ୍କୀ ହମଲା: ୩୦ ମୃତ, ୬୦ ଆହତ

ପେଶାୱାର: ପୁଣି ଆତଙ୍କବାଦୀଙ୍କ ଟାର୍ଗେଟରେ ପାକିସ୍ତାନର ଶିକ୍ଷାନୁଷ୍ଠାନ। ପାକିସ୍ତାନର ପେଶାୱାରରେ ଥିବା ବଚ୍ଚା ଖାନ୍ ବିଶ୍ୱବିଦ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ କରି ନିଜ କବଜାକୁ ନେଇଯାଇଛନ୍ତି। ଆଜି ସକାଳେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଆତଙ୍କବାଦୀଙ୍କ ଏକ ଦଳ ବିଶ୍ୱବିଦ୍ୟାଳୟକୁ ଧସେଇ ପଶିଥିଲେ। ଆତଙ୍କବାଦୀମାନେ ବିଶ୍ୱବିଦ୍ୟାଳୟର କିଛି ବ୍ଲକକୁ କବଜାକୁ ନେବା ସହ କ୍ଲାସ୍ ରୁମ୍ ଓ ହଷ୍ଟେଲ୍ ଉପରେ ଆଖିବୁଜା ଆକ୍ରମଣ କରିଥିଲେ।

ଏହି ସମୟରେ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରାୟ ୩ ହଜାର ଛାତ୍ରଛାତ୍ରୀ ଓ ୬ ଶହ ବିଦେଶୀ ଅତିଥି ଥିଲେ। ବର୍ତ୍ତମାନ ସୁଦ୍ଧା ବିଶ୍ୱବିଦ୍ୟାଳୟ ପରିସରରୁ ୮ଟି ବିସ୍ଫୋରଣର ଶବ୍ଦ ଶୁଣାଯାଇଥିବା ଜଣାପଡ଼ିଛି। ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଏହି ଆକ୍ରମଣରେ ୩୦ ଜଣଙ୍କର ମୃତ୍ୟୁ ହେବା ସହ ୬୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି।

ଆତଙ୍କବାଦୀଙ୍କ କବଳରୁ ବିଶ୍ୱବିଦ୍ୟାଳୟକୁ ମୁକ୍ତ କରିବା ପାଇଁ ପାକ୍ ସେନା ପକ୍ଷରୁ ବଡ଼ ଧରଣର ଅପରେସନ୍ ଚାଲିଛି। ପାକସେନାର କାର୍ଯ୍ୟାନୁଷ୍ଠାନରେ ୪ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏବେ ବି ବିଶ୍ୱବିଦ୍ୟାଳୟ ପରିସରରେ ଗୁଳି ବିନିମୟ ଲାଗି ରହିଛି। ତହରିକ୍-ଏ-ତାଲିବାନ୍ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ପାକିସ୍ତାନର ପେଶାୱାରର ଏକ ସ୍କୁଲରେ ବର୍ଷେ ତଳେ ତାଲିବାନ୍ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏଥିରେ ୧୩୪ଜଣଙ୍କର ମୃତ୍ୟୁ ହୋଇଥିଲା।