ପାକିସ୍ତାନକୁ ଏୟାର ଷ୍ଟ୍ରାଇକ ଭୟ, ଭାରତର ଯାତ୍ରୀବାହୀ ବିମାନକୁ ଆକାଶ ମାର୍ଗରେ ହଇରାଣ କଲା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌କୁ ଆଜି ଯାଏ ପାକିସ୍ତାନ ଭୁଲି ପାରୁନାହିଁ। କାଳେ ଭାରତ ପୁଣିଥରେ ଏୟାର ଷ୍ଟ୍ରାଇକ କରିବ, ସେନେଇ ପାକିସ୍ତାନ ଯେକୌଣସି ଭାରତୀୟ ବିମାନକୁ ଦେଖିଲେ ଭୟରେ ଥରିବା ଆରମ୍ଭ କରିଛି। ଏହିକ୍ରମରେନୂଆଦିଲ୍ଲୀରୁ କାବୁଲ ଯାଉଥିବା ଏକ ଯାତ୍ରୀବାହୀ ବିମାନକୁ ଯୁଦ୍ଧ ବିମାନ ଭାବି ପାକିସ୍ତାନ ସେନା ଆକାଶ ମାର୍ଗରେ ପ୍ରାୟ ୩୦ ମିନିଟ୍‌ ଧରି ହଇରାଣ କରିଥିବା ଜଣାପଡ଼ିଛି। ଏପରି କି ପାକିସ୍ତାନ ସେନା ଏପ୍‌-୧୬ ଯୁଦ୍ଧ ବିମାନ ଜରିଆରେ ଉକ୍ତ ବିମାନଟିକୁ ଦୀର୍ଘ ସମୟ ଧରି ପିଛା ମଧ୍ୟ କରିଥିଲା।

ଘଟଣାଟି ସେପ୍ଟେମ୍ବର ୨୩ରେ ଘଟିଥିଲେ ହେଁ ଆଜି ଏହା ସାମ୍ନାକୁ ଆସିଛି। ସେପ୍ଟେମ୍ବର ୨୩ରେ ସ୍ପାଇସ୍‌ ଜେଟ୍‌ର ବିମାନ ଏସ୍‌ଜି-୨୧ ପ୍ରାୟ ୧୨୦ ଜଣ ଯାତ୍ରୀଙ୍କୁ ନେଇ ନୂଆଦିଲ୍ଲୀରୁ କାବୁଲ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ବିମାନଟି ପାକିସ୍ତାନ ଆକାଶ ମାର୍ଗରେ ଯାଉଥିବା ବେଳେ ହଠାତ୍‌ ପାକିସ୍ତାନ ସେନାର ୨ଟି ଏଫ୍‌-୧୬ ଯୁଦ୍ଧ ବିମାନ ଏହାର ପିଛା କରିଥିଲେ।

ଏପରି କି ସେମାନେ ବିମାନର ପାଇଲଟ୍‌ଙ୍କୁ ମଝି ଆକାଶରେ ଏହାକୁ ତଳକୁ ନେବାକୁ କହିବା ସହ ବିସ୍ତୃତ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ସ୍ପାଇସ୍‌ ଜେଟ୍‌ର ପାଇଲଟ୍‌ ଜଣଙ୍କ ପାକିସ୍ତାନୀ ଏଫ୍‌-୧୬ ଯୁଦ୍ଧ ବିମାନର ପାଇଲଟଙ୍କୁ କହିଥିଲେ ଯେ “ଏହା ଭାରତର ଏକ ଯାତ୍ରୀବାହୀ ବିମାନ। ଏହାର ନାଁ ହେଉଛି ସ୍ପାଇସ୍ ଜେଟ୍। କାର୍ଯ୍ୟସୂଚୀ ଅନୁସାରେ ବିମାନଟି ଦିଲ୍ଲୀରୁ କାବୁଲ ଯାଉଛି।”

ଏହାସତ୍ତ୍ୱେ ପାକିସ୍ତାନ ଯୁଦ୍ଧ ବିମାନ ଉକ୍ତ ବିମାନଟିକୁ ମଝି ଆକାଶରେ ହିଁ ଘେରାବନ୍ଦୀ କରିଥିଲେ। ବିମାନ ମଧ୍ୟରେ ଥିବା ଯାତ୍ରୀମାନେ ପାକିସ୍ତାନ ବିମାନକୁ ଦେଖି ଛାନିଆ ମଧ୍ୟ ହୋଇଯାଇଥିଲେ। ଜଣେ ପାଇଲଟ୍‌ ନିଜ ନାମ ଗୋପନ ରଖି କହିଛନ୍ତି, “ଏଫ୍‌-୧୬ ଯୁଦ୍ଧ ବିମାନରେ ଥିବା ପାକିସ୍ତାନ ପାଇଲଟ୍‌ ଜଣଙ୍କ ସ୍ପାଇସ୍‌ ଜେଟ୍‌ର ପାଇଲଟଙ୍କୁ ହାତ ଦେଖାଇ ଏହାକୁ ତଳକୁ ନେବାକୁ କହିଥିଲେ। ଏପରି କି ପାକିସ୍ତାନ ଯୁଦ୍ଧ ବିମାନ ଦୀର୍ଘ ୩୦ ମିନିଟ୍ ଧରି ଆମର ପିଛା ମଧ୍ୟ କରିଥିଲା।”

ବାସ୍ତବରେ ପ୍ରତି ବିମାନର ଏକ କୋଡ୍‌ ନମ୍ବର ଥାଏ। ସ୍ପାଇସ୍‌ ଜେଟ୍‌ର କୋଡ୍‌ ନଂ ହେଉଛି ‘ଏସଜି’। କିନ୍ତୁ ୨୩ ତାରିଖରେ ଏସ୍‌ଜି ବିମାନ ଯାଉଥିଲେ ହେଁ ପାକିସ୍ତାନ ଏଟିସି ଏହାକୁ ‘ଏଆଇ’ ବା ଭାରତୀୟ ବାୟୁସେନାର ବିମାନ ବୋଲି ଭାବିଥିଲା।

ଏଟିସି ତୁରନ୍ତ ଏହି ଭୁଲ ସୂଚନାକୁ ନିଜ ଦେଶର ସେନାକୁ ଦେଇଥିଲା। ସେନା ଏହାର ମୁକାବିଲା କରିବା ପାଇଁ ଏଫ-୧୬ ଯୁଦ୍ଧ ବିମାନକୁ ପଠାଇଥିଲା। ପାକିସ୍ତାନର ଦ୍ୱନ୍ଦ୍ୱ ଦୂର ହେବା ପରେ ଏଫ୍‌-୧୬ ଯୁଦ୍ଧ ବିମାନ ଉକ୍ତ ଯାତ୍ରୀବାହୀ ବିମାନକୁ କର୍ଡନ କରି ପାକିସ୍ତାନ ସୀମା ପାର କରାଇଥିଲା।

ବିମାନଟି ଆଫ୍‌ଗାନିସ୍ତାନ ସୀମାରେ ପ୍ରବେଶ କରିବା ଯାଏ ପାକିସ୍ତାନ ଏଫ୍‌-୧୬ ଯୁଦ୍ଧ ବିମାନ ଏହାକୁ ଜଗି ରହିଥିଲା। ପାକିସ୍ତାନର ଏହି ବଦମାସୀ ପାଇଁ କାବୁଲରୁ ବିମାନଟି ପ୍ରାୟ ୫ ଘଣ୍ଟା ବିଳମ୍ବରେ ପୁଣି ଭାରତ ଫେରିଥିଲା।