ହାଫିଜ୍‌ ସଏଦ୍‌ଙ୍କ ସଙ୍ଗଠନକୁ କଳା ତାଲିକାଭୁକ୍ତ କଲା ପାକିସ୍ତାନ

ନୂଆଦିଲ୍ଲୀ: ବିଶ୍ୱପାଇଁ ବିପଦ ସୃଷ୍ଟି କରୁଥିବା ଆତଙ୍କବାଦୀଙ୍କ ଲାଗି ପାକିସ୍ତାନ ଚରାଭୁଇଁ ପାଲଟିଥିଲା। ଭାରତର ବାରମ୍ୱାର ଦାବି ସତ୍ୱେ ପାକିସ୍ତାନ ଏଠାରେ ବିକଶିତ ହେଉଥିବା ଆତଙ୍କି କାର୍ଯ୍ୟକଳାପରେ ରୋକ୍‌ ଲାଗାବାକୁ ନାଁ ଧରୁ ନ ଥିଲା। ନିକଟରେ ପାକ୍‌ର ଏଭଳି ଆଚରଣ ଲାଗି ଆମେରିକା ଦେଉଥିବା ଆର୍ଥିକ ସହାୟତା ବନ୍ଦ କରି ଦେଇଥିଲା। ଏଥରେ ବିଚଳିତ ପାକ୍‌ ପ୍ରଶାସନ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମୁମ୍ବଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହାଫିଜ୍‌ ସଏଦ୍‌ଙ୍କ ସଙ୍ଗଠନ ଉମାତ୍‌-ଉଦ୍‌-ଦାବାକୁ ସରକାର କଳା ତାଲିକାଭୁକ୍ତ କରିଛନ୍ତି। ଏପରିକି ସଙ୍ଗଠନର ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ସିଜ୍‌ କରି ଦିଆଯାଇଛି।

ପାକ୍‌ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରଦ୍ଧ ଟ୍ୱିଟର ଆକାଉଣ୍ଟ ତାଲିକାରେ ଉମାତ୍‌-ଉଦ୍‌-ଦାବା(ଜେୟୁଡି) ସାମିଲ ହୋଇଛି। ଏହା ସହ ଜେୟୁଡିର ସହଯୋଗୀ ସଙ୍ଗଠନ ଫଲାହ-ଏ-ଇନ୍ସାନିୟତ୍‌ର ଟ୍ୱିଟର ଆକାଉଣ୍ଟ ମଧ୍ୟ ସିଜ୍‌ କରିଦିଆଯାଇଛି। ଏକ୍ସପ୍ରେସ୍‌ ନ୍ୟୁଜ୍‌ର ସୂଚନା ମୁତାବକ ଗୃହ ମନ୍ତ୍ରଣାଳୟ ୭୨ଟି କଳା ତାଲିକାଭୁକ୍ତ ସଂସ୍ଥାର ସୂଚୀ ଜାରି କରିଛି। ଏପରିକି ଏଭଳି ସଙ୍ଗଠନକୁ ଚାନ୍ଦା ଦେଉଥିବା ସଂସ୍ଥା ଉପରେ ମଧ୍ୟ କଟକଣା ଲାଗାଯାଇଛି।