ପାକିସ୍ତାନର କଟାସରାଜ ଶିବ ମନ୍ଦିରରେ ଅଭିଷେକ ପାଇଁ ପୂଜା ସାମଗ୍ରୀ ପଠାଇଲେ ସୋନିଆ

କଟାସରାଜ: ପାକିସ୍ତାନରେ ଥିବା ପ୍ରସିଦ୍ଧ ଶୈବପୀଠ କଟାସରାଜରେ ମହାଶିବରାତ୍ରୀ ଅବସରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି। ହିନ୍ଦୁ ଧର୍ମାଲମ୍ବୀମାନେ ଧାଡ଼ିରେ ଯାଇ ମହାଦେବଙ୍କ ଦର୍ଶନ କରୁଛନ୍ତି। ତେବେ ଏହି ଶୈବପୀଠ ଅନ୍ୟ ଏକ କାରଣ ପାଇଁ ପ୍ରସିଦ୍ଧ। ଏଠାରେ ପ୍ରତିବର୍ଷ ଗାନ୍ଧି ପରିବାର ପକ୍ଷରୁ ରୁଦ୍ରାଭିଷେକ ହୋଇଥାଏ।

ମହାଶିବରାତ୍ରୀ ଅଭିଷେକ ପାଇଁ ସୋନିଆ ଗାନ୍ଧି ଏବଂ ତାଙ୍କ ଝିଅ ପ୍ରିୟଙ୍କା ପ୍ରତିବର୍ଷ ପରି ସାମଗ୍ରୀ ପଠାଇଛନ୍ତି। ହରିଦ୍ୱାର ସନାତନ ଧର୍ମ ସଂସ୍ଥାର ୫ ଜଣିଆ ପ୍ରତିନିଧି ଦଳ ସୋନିଆ ଓ ପ୍ରିୟଙ୍କାଙ୍କ ପାଖରୁ ପୂଜା ସାମଗ୍ରୀ ନେଇ କଟାସରାଜ ଯାଇଛନ୍ତି।

ପଞ୍ଜାବ ପ୍ରଦେଶର ଉତ୍ତର ନମକକୋହ ପର୍ବତରେ ରହିଛି ଏହି ପ୍ରାଚୀନ ଶୈବପୀଠ। ପୁରାଣ ଅନୁସାରେ ଏହି ତୀର୍ଥସ୍ଥଳକୁ ଶିବନେତ୍ର କୁହାଯାଏ। ଯେତେବେଳେ ମାତା ପାର୍ବତୀ ସତୀ ହୋଇଥିଲେ ସେ ସମୟରେ ମହାଦେବଙ୍କ ଆଖିରୁ ଦୁଇବୁନ୍ଦା ଲୁହ ଝରିଥିଲା ସେଥିରୁ ଗୋଟିଏ ବୁନ୍ଦା ଲୁହ କଟାସରେ ପଡିବା ପରେ ଅମୃତ ହୋଇ ଯାଇଥିଲା। ଏବେ ଏହା ମହାନ ସରୋବର ଅମୃତକୁଣ୍ଡ ଭାବେ ରହିଛି। ଦ୍ୱିତୀୟ ଲୁହ ବୁନ୍ଦା ରାଜସ୍ଥାନର ଅଜମେରରେ ପଡିଥିଲା। ଏହା ପୁଷ୍କରରାଜ ତୀର୍ଥ ସ୍ଥାନ ଭାବେ ପରିଚିତ।