ପାକିସ୍ତାନରେ ବୋମା ବିସ୍ଫୋରଣ: ୧୭ ମୃତ, ୩୨ ଆହତ

କରାଚି: ପାକିସ୍ତାନର କ୍ୱେଟା ସହରରେ ଶନିବାର ହୋଇଥିବା ବୋମା ବିସ୍ଫୋରଣରେ ପ୍ରାୟ ୧୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ପିଶିନ ବସ୍‌ ଷ୍ଟପ୍‌ ନିକଟ ପାର୍କିଂରେ ହୋଇଥିଲା। ଯାହା ସୁରକ୍ଷାବଳୟ ଅଞ୍ଚଳ ଥିଲା।

ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବୋମା ବିସ୍ଫୋରଣର ଟାର୍ଗେଟ୍‌ରେ ପାକିସ୍ତାନ ଆର୍ମି ଯବାନମାନେ ଥିଲେ ।

ବିଲୁଚିସ୍ତାନର ଗୃହମନ୍ତ୍ରୀ ମୀର ସରଫରାଜ ବୁଗତି କହିଛନ୍ତି,“ ବସ୍‌ ଷ୍ଟପ୍‌ରେ ଥିବା ଏକ ଗାଡିରେ ବୋମା ରଖାଯାଇଥିଲା। ଏନେଇ ତଦନ୍ତ ଚାଲିଛି। ଏହା ବଡ଼ ବୋମା ବିସ୍ଫୋରଣ ଥିଲା। ଏଥିରେ ପ୍ରାୟ ଦୁଇ ଡର୍ଜନ୍ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।”

ବିସ୍ଫୋରଣରେ ମୃତ୍ୟୁ ଘଟିଥିବା ୧୨ଜଣଙ୍କ ଶବକୁ ଡାକ୍ତରଖାନା ଆଣାଯାଇଛି। ସେମାନଙ୍କ ଶରୀର ପୂରା ପୋଡ଼ି ଯାଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଅନେକ ଦୂର ଯାଏଁ ଶଦ୍ଦ ଶୁଣା ଯାଇଥିଲା। ଏହାସହିତ ନିଆଁରେ କିଛି ଗାଡି ଓ ଅଟୋ ରିକ୍ସା କ୍ଷତି ଗ୍ରସ୍ତ ହୋଇଛି।