ମହିଳା ସାଂସଦଙ୍କୁ ଦୁର୍ବ୍ୟବହାର ଘଟଣା ସୋସିଆଲ ମିଡିଆରେ ହେଲା ଭାଇରାଲ 

ଇସଲାମାବାଦ୍‌: ପାକିସ୍ତାନର ସିନ୍ଧ ଅଞ୍ଚଳର ଜଣେ ମହିଳା ସାଂସଦ ନୁସରତ ସହର ଆବାସୀଙ୍କ ପ୍ରତି ସଂସଦରେ ଜଣେ ପୁରୁଷ ସାଂସଦ ଅଭଦ୍ର ଭାଷା ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ପୁରୁଷ ସାଂସଦଙ୍କ ଏପରି ଅଭଦ୍ର ବ୍ୟବହାର ପାଇଁ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତେବେ ନୁସରତ ନିଜ ଦେହରେ ନିଆଁ ଲଗାଇ ଦେବେ ବୋଲି ଧମକ ଦେଇଛନ୍ତି। ଗଣମାଧ୍ୟମକୁ ସାକ୍ଷାତକାର କରି ମହିଳା ସାଂସଦ କହିଛନ୍ତି, “ଏହି ଘଟଣାରୁ ଅନୁମାନ କରାଯାଇପାରିବ ମହିଳାଙ୍କ ସୁରକ୍ଷା ପାଇଁ ଆଇନ୍‌ର କେତେ ପାଳନ କରାଯାଉଛି।”

ଖବର ମୁତାବକ ସାଂସଦରେ ଆଲୋଚନା ଚାଲିଥିବା ସମୟରେ ନୁସରତଙ୍କୁ ମନ୍ତ୍ରୀ ଇମଦାଦ ପିତାଫୀ ନିଜ ଚାମ୍ବରକୁ ଡାକିଥିବା କଥା କହିଥିଲେ। ଏହାକୁ ନେଇ ସାଂସଦ ନୁସରତ ଶାରିରୀକ ନିର୍ଯ୍ୟାତନା ଦିଆଯାଇଛି କହି ସାଂସଦ ବାହାରେ ଧାରଣା ଦେଇଥିଲେ। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମନ୍ତ୍ରୀ ଇମଦାଦ୍‌ ପିତାଫୀ ଚାପରେ ପଡ଼ି ସାଂସଦରେ ଆବାସୀଙ୍କୁ କ୍ଷମା ମାଗିବା ସହ ତାଙ୍କୁ ସମ୍ମାନ ଦେବା ପାଇଁ ତାଙ୍କ ମୁଣ୍ଡ ଉପରେ ଏକ ଚାଦର ଘୋଡ଼ାଇ ଥିଲେ।