କୁଳଭୂଷଣ ମାମଲାରେ ପୁଣି ତୋଡ଼ ଦେଖାଇଲା ପାକିସ୍ତାନ

ଇସଲାମାବାଦ: ଭାରତୀୟ ନାଗରିକ କୁଳଭୂଷଣ ଯାଦବ ମାମଲାରେ ଆତଙ୍କୀସ୍ତାନ ପାକିସ୍ତାନ ପୁଣିଥରେ ନିଜର ତୋଡ଼ ଦେଖାଇଛି। କୁଳଭୂଷଣ ମାମଲାରେ ଭାରତ ସହ ପାକିସ୍ତାନ କୌଣସି ଡିଲ୍‌ କରିନାହିଁ ଓ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ ଜଷ୍ଟିସ(ଆଇସିଜେ)ଙ୍କ ନିର୍ଦ୍ଦେଶ ପାକିସ୍ତାନର ସମ୍ବିଧାନ ଦ୍ୱାରା ହିଁ ପାଳନ କରାଯିବ। କୁଳଭୂଷଣଙ୍କ ପାଇଁ ସମ୍ବିଧାନରେ କୌଣସି ପ୍ରକାରର ପରିବର୍ତ୍ତନ କରାଯିବ ନାହିଁ ବୋଲି ଆଜି ପାକିସ୍ତାନ ପକ୍ଷରୁ କୁହାଯାଇଛି।

ପାକିସ୍ତାନ ସେନା ଗତକାଲି କହିଥିଲା ଯେ ଯାଦବ ମାମଲାର ରିଭ୍ୟୁ ପାଇଁ ପାକିସ୍ତାନ ସରକାର ଏକାଧିକ ଆଇନଗତ ଦିଗର ତର୍ଜମା କରୁଛନ୍ତି। ହେଲେ ଆଜି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମହମ୍ମଦ ଫୈଜଲ କହିଛନ୍ତି, “କୁଳଭୂଷଣ ଯାଦବ ମାମଲାରେ ଭାରତ ସହ କୌଣସି ପ୍ରକାରର ଡିଲ କରାଯାଇନାହିଁ। ପାକିସ୍ତାନ ସରକାର ଯାହା ବି ନିଷ୍ପତ୍ତି ନେବ, ତାହା ଦେଶରେ ପ୍ରଦତ୍ତ ଆଇନ୍‌ ଅନୁସାରେ କାର୍ଯ୍ୟକାରୀ କରାଯିବ। ତେଣୁ କୁଳଭୂଷଣଙ୍କ ପାଇଁ କୌଣସି ଆଇନରେ ପରିବର୍ତ୍ତନ କରାଯିବ ନାହିଁ।”

ଏହାପୂର୍ବରୁ ପାକିସ୍ତାନ ସରକାର ଆଇସିଜେଙ୍କ ନିର୍ଦ୍ଦେଶରେ ନିଜ ଦେଶର ସେନା ଆଇନରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଥିଲା। ସେହିପରି କୁଳଭୂଷଣ ସାଧାରଣ ଲୋକଙ୍କ ଭଳି ସିଭିଲିଆନ୍ କୋର୍ଟରେ ନିଜ ନ୍ୟାୟ ପାଇଁ ଦାବି କରିପାରିବେ ବୋଲି କୁହାଯାଇଥିଲା। କିନ୍ତୁ ଏବେ ପାକିସ୍ତାନ ସରକାର ଭିନ୍ନ ବୟାନ ଦେଇଛନ୍ତି।

୨୦୧୬ ମାର୍ଚ୍ଚ ୩ ତାରିଖରେ ପାକିସ୍ତାନ ସେନା କୁଳଭୂଷଣ ଯାଦବଙ୍କୁ ଗୁଇନ୍ଦାଗିରି ଅଭିଯୋଗରେ ବାଲୋଚିସ୍ତାନରୁ ଗିରଫ କରିଥିବା ଦାବି କରିଥିଲା। ଏହାପରେ ତାଙ୍କ ବିଚାର ସାମରିକ କୋର୍ଟରେ କରାଯାଇ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତେବେ ଏହା ବିରୋଧରେ ଭାରତ ସରକାର ଆଇସିଜେକୁ ଯାଇଥିଲେ।
ଗତମାସରେ ଆଇସିଜେ ୧୫-୧ ଭୋଟରେ ପାକିସ୍ତାନର ଏଭଳି କାର୍ଯ୍ୟାନୁଷ୍ଠାନକୁ ତୀବ୍ର ନିନ୍ଦା କରିଥିଲେ। ଏଥିସହ କୁଳଭୂଷଣ ଯାଦବଙ୍କ ଫାଶୀ ଉପରେ ରୋକ ଲଗାଇବା ସହ କୋର୍ଟ ତାଙ୍କୁ କନସୁଲାର ଆକ୍ସେସ ଯୋଗାଇ ଦେବାକୁ ମଧ୍ୟ କହିଥିଲେ।